ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଲିୟନ ଡଲାରର ଠକେଇ ଏବଂ ହତ୍ୟା ଭଳି ସଂଘୀନ ଅପରାଧରେ ସମ୍ପୃକ୍ତ କୁଖ୍ୟାତ ‘ମିଙ୍ଗ୍ ଫ୍ୟାମିଲି’ ର ୧୧ ଜଣ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।
ମିଙ୍ଗ୍ ପରିବାରର ୧୧ ସଦସ୍ୟଙ୍କ ସହ ଅନ୍ୟ ୨୩ ଜଣଙ୍କୁ ୫ ବର୍ଷରୁ ଆଜୀବନ କାରାଦଣ୍ଡ ମଧ୍ୟ ମିଳିଛି। ଅଭିଯୋଗ ଅନୁଯାୟୀ ସଂଘବଦ୍ଧ ହତ୍ୟା, ଗୁରୁତର ଆହତ, ଅନ୍ୟାୟ ଅଟକ, ଜୁଆ ଆଡ୍ଡା ଏବଂ ସାଇବର ଭଳି ଠକେଇ ସହିତ ଏହି ଗ୍ୟାଙ୍ଗ ଜଡିତ ଥିଲେ। ମ୍ୟାନ୍ମାରର ଉତ୍ତର ସୀମାନ୍ତ ଅଞ୍ଚଳରୁ ଏହି ସ୍କାମ ସେଣ୍ଟର ପରିଚାଳିତ ହେଉଥିଲା।
ମ୍ୟାନ୍ମାରର କୋକାଙ୍ଗ ଅଞ୍ଚଳରେ ସକ୍ରିୟ ଥିବା ଏହି ଅପରାଧିକ ଗୋଷ୍ଠୀ ହଜାର ହଜାର ଚାଇନା ନାଗରିକଙ୍କୁ ବନ୍ଧକ ରଖି ସେମାନଙ୍କ ଜରିଆରେ ବିଶ୍ୱବ୍ୟାପୀ ଅନଲାଇନ୍ ଠକେଇ କରୁଥିଲେ। ଏହି ଗ୍ୟାଙ୍ଗର କାର୍ଯ୍ୟକଳାପ ଯୋଗୁଁ ୧୪ ଜଣ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ଚାଇନା ସୁପ୍ରିମ କୋର୍ଟ ଏହି ଅପରାଧକୁ “ଅତି ଜଘନ୍ୟ” ବୋଲି ଦର୍ଶାଇ ନିମ୍ନ ଅଦାଲତଙ୍କ ମୃତ୍ୟୁଦଣ୍ଡାଦେଶକୁ କାୟମ ରଖିଥିଲେ।
ଚାଇନା ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ, ମିଆଁମାର, ଥାଇଲାଣ୍ଡ ଏବଂ କାମ୍ବୋଡିଆ ସହ ମିଳିତ ଭାବେ ଏହି ଅପରାଧିକ ନେଟୱାର୍କକୁ ଧ୍ୱଂସ କରାଯାଇଛି। ୨୦୨୩ ମଧ୍ୟଭାଗରୁ ଏପର୍ଯ୍ୟନ୍ତ ମ୍ୟାନ୍ମାର କର୍ତ୍ତୃପକ୍ଷ ପ୍ରାୟ ୫୩,୦୦୦ ରୁ ଅଧିକ ସନ୍ଦିଗ୍ଧଙ୍କୁ ଚୀନ ହସ୍ତାନ୍ତର କରିଛନ୍ତି।
ଜାତିସଂଘର ରିପୋର୍ଟ ଅନୁଯାୟୀ, ବିଶ୍ୱର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଲୋଭନ ଦେଖାଇ ଏହିଭଳି ସ୍କାମ ସେଣ୍ଟରରେ ଜବରଦସ୍ତ କାମ କରାଯାଉଛି।

