ଜିରୋ-କୋଭିଡ୍‌ ନୀତି କୋହଳ କଲା ଚାଇନା

ବେଜିଂ,୧୨ା୧୧: ଚାଇନା ଏହାର କଠୋର ଜିରୋ-କୋଭିଡ୍‌ ନୀତି କୋହଳ କରିବା ଆରମ୍ଭ କରିଛି। ଏଥିସହିତ ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ କ୍ୱାରାଣ୍ଟାଇନ୍‌ ସମୟସୀମାକୁ ହ୍ରାସ କରାଯିବା ସହ ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା ହଟାଇ ଦିଆଯାଇଛି। ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଅଧ୍ୟକ୍ଷତାରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ନବନିର୍ବାଚିତ ଷ୍ଟାଣ୍ଡିଂ କମିଟିର ପ୍ରଥମ ବୈଠକ ପରେ ଉପରୋକ୍ତ ନୂଆ ନିୟମ ଘୋଷଣା କରାଯାଇଛି। କୋଭିଡ୍‌ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ପାଇଁ କ୍ୱାରାଣ୍ଟାଇନ ସମୟ ୧୦ ଦିନ ଥିବାବେଳେ ତାହାକୁ ୮ ଦିନକୁ ହ୍ରାସ କରାଯାଇଛି। ଅନ୍ତର୍ଜାତୀୟ ବିମାନରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେଲେ ଦୀର୍ଘଦିନ ପର୍ଯ୍ୟନ୍ତ ଉକ୍ତ ଦେଶ ସହ ବିମାନ ଚଳାଚଳ ବାତିଲ କରାଯିବ ନାହିଁ। ମାମଲା ଚିହ୍ନଟ ହେଲେ ବିମାନକୁ ଖାଲି ଫେରିବା ପାଇଁ ଅନୁମତି ଦିଆଯିବ। ସୂଚନାଯୋଗ୍ୟ, କୋଭିଡ୍‌ କଟକଣା ଯୋଗୁ ଭାରତ ଓ ଚାଇନା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ହେଉ ନ ଥିବାରୁ ଦୁଇ ଦେଶର ଯାତ୍ରୀ ତୃତୀୟ ଦେଶ ଦେଇ ଯାତାୟାତ କରୁଛନ୍ତି। ସର୍କିଟ ବ୍ରେକର ନିୟମ ହଟିଲେ ଦୁଇଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।

Share