ଚାଇନା ଅର୍ଥନୀତିକୁ ବଞ୍ଚାଇବାକୁ ଅଧିକାରୀଙ୍କ ନୂଆ ଆଦେଶ, କାମକୁ ଫେରିବେ ସଂକ୍ରମିତ

ବେଜିଂ,୨୩ ।୧୨: ଚାଇନାରେ କରୋନା ବିସ୍ଫୋରଣ ଉଗ୍ର ରୂପ ଧାରଣ କଲାଣି । ହେଲେ ଚାଇନା କମ୍ୟୁନିଷ୍ଟ ପ୍ରଶାସନ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଦେଶରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ଦଳ ଏହାକୁ କହୁଛି ନିମୋନିଆ ଓ ଶ୍ୱାସକ୍ରିୟାରେ ସମସ୍ୟା । ଏପଟେ ଶ୍ମଶାନ ଘାଟରେ ମୃତକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ବ୍ଲୁମବର୍ଗ ଖବର କାଗଜର ରିପୋର୍ଟ ଅନୁଯାୟୀ, ଚାଇନା ଅଧିକାରୀ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ କରୋନା ସଂକ୍ରମିତଙ୍କୁ ବି ନିର୍ଦ୍ଦେଶ ଦେଇନ୍ତି ଯେ ସେମାନେ ଯେତେଶୀଘ୍ର କାମରେ ଯୋଗ ଦିଅନ୍ତୁ । ଅନ୍ୟପଟେ ଔଷଧ କମ୍ପାନୀ ସାରାରାତି କାମ କରିବାକୁ ବାଧ୍ୟ ହେଉଛନ୍ତି ।
ଚାଇନାର ବେଜିଂ, ଗୁଆଂଗଝୋଉ, ଶେନଝୋଙ୍ଗ ଓ ସାଂଘାଇ ଭଳି ସହରରେ ପରିସ୍ଥିତି ଅତ୍ୟନ୍ତ ଖରାପ । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଚାଇନାରେ ମହାମାରୀର ସଂକ୍ରମଣକୁ ଦେଖି ଲୋକଙ୍କୁ କୁହାଯାଉଛି କି ଏହା ମୌସୁମୀ ଫ୍ଲୁ ଭଳି ସମସ୍ୟା ଓ ନୂଆ ଓମିକ୍ରନ୍ ଭାରିଏଣ୍ଟ ଏତେ ବିପଦପୂର୍ଣ୍ଣ ନୁହେଁ । ମହାମାରୀ ବୈଜ୍ଞାନିକ ଝୋଂଗ ନାନଶାନ ଏମିତି ବି କହିଛନ୍ତି ଓମିକ୍ରନ୍ ଭାଇରସ ସାଧାରଣ ସର୍ଦ୍ଦି-ଜ୍ୱରଠାରୁ ଅଧିକ କିଛି ନୁହେଁ ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ଏପଟେ କିନ୍ତୁ ଜିରୋ କୋଭିଡ ନୀତିରେ ଢିଲା ଦେବା ପରେ ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡର ଅଭାବ ଦେଖାଦେଇଛି ।

Share