ଚିଲି ଜଙ୍ଗଲରେ ନିଆଁ: ୧୩ ମୃତ, ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ

ସାଣ୍ଟିଆଗୋ,୪ ।୨: ଦକ୍ଷିଣ ଆମେରିକା ଦେଶ ଚିଲି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଜଙ୍ଗଲ ନିଆଁରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ପ୍ରାୟ ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଗଲାଣି । ଏଭଳି ସ୍ଥିତିକୁ ଦେଖି ଚିଲି ସରକାର ଏହାକୁ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରିଛନ୍ତି । ଜଙ୍ଗଲରେ ଲାଗିଥିବା ଏହି ଭୟଙ୍କର ନିଆଁ ଯୋଗୁ ସାରା ଦେଶର ତାପମାତ୍ରା ବୃଦ୍ଧି ପାଇଛି । ରାଜଧାନୀ ସାଣ୍ଟିଆଗୋରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣରେ ସ୍ଥିତ ବାୟୋବିୟୋ ଅଞ୍ଚଳରେ ସହର ସେଣ୍ଟା ଜୁଆନାରେ ଜଣେ ଫାୟାରଫାଇଟର ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।
ଚିଲିର ଦକ୍ଷିଣରେ ଓରେକେନିୟାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ନିୟୋଜିତ ଥିବା ଏକ ହେଲିକପ୍ଟର କ୍ରାସ ହେବା ଫଳରେ ଜଣେ ପାଇଲଟ ଓ ଜଣେ ମେକାନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସରକାର ବାୟୋବିୟୋ ଓ ନୁବଲ ଅଞ୍ଚଳରେ ଏମରଜେନ୍ସି ଘୋଷଣା କରିଛନ୍ତି, ପରେ ଏଠାରେ ସେନା ମୁତୟନ କରାଯାଇଛି । ଚିଲିର ପ୍ରାୟ ୧୨ଟି ସ୍ଥାନରେ ନିଆଁ ଲାଗିଛି । ଆଉ ଏହି ଜଙ୍ଗଲ ନିଆଁରେ ପ୍ରାୟ ଶହ ଶହ ଘର ପୋଡି ପାଉଁଶ ହୋଇଗଲାଣି । ଆଗାମୀ ଦିନରେ ଏହା ଆହୁରି ଭୟାବହ ହେବ ବୋଲି ଅନୁମାନ କରାଯାଉଛି ।

Share