ପିଲାଙ୍କ କଳିରୁ ଗୋଷ୍ଠୀ ସଂଘର୍ଷ: ୮ ଆହତ

ରାୟଗଡ଼ା,୧୨ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରଠାରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏହି ସଂଘର୍ଷରେ ୮ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ନ୍ୟାୟ ଦାବି କରି ଜେକେପୁରଠାରେ ସୋମବାର ରାସ୍ତାରୋକୋ କରାଯାଇଛି। ଫଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ରବିବାର ରାତିରେ ଦେବଦଳା ଓ ନୂଆପଡ଼ା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଦେବଦଳା ସମେତ ନିକଟସ୍ଥ ଅନ୍ୟ ଗାଁର ଲୋକମାନେ ମିଳିତ ଭାବେ ଜେକେପୁର ଠାରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚାନ୍ଦିଲି ଥାନାରେ ଅଭିଯୋଗ ହୋଇଛି। ସେଠାରେ ପୋଲିସ ଗାଳିଗୁଲଜ କରିବା ସହିତ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି। ଏହି ଗୋଷ୍ଠୀ ସଂଘର୍ଷ ପରେ ଦେବଦଳା, ନୂଆପଡ଼ା ଓ ଜେକେପୁରଠାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଏକ ଶାନ୍ତି କମିଟି ଗଠନ କରି ଘଟଣାର ସମାଧାନ କରାଯିବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି। ତେବେ ୩ ଜଣ ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି। ହେଲେ ଲାଠିଚାର୍ଜ ଘଟଣାକୁ ପୋଲିସ ଖଣ୍ଡନ କରିଛି। ଏହି ଗୋଷ୍ଠୀ ସଂଘର୍ଷ ଏକ ପ୍ରକାର ସାମ୍ପ୍ରଦାୟିକ ସଂଘର୍ଷ ଆଡ଼କୁ ଗତି କରୁଥିବା ବେଳେ ନିୟନ୍ତ୍ରଣ କରିବା ଜରୁରୀ। ଶେଷରେ ପୋଲିସ ଡିଏସ୍‌ପି, ଏସ୍‌ଡିପିଓ ଏବଂ ପୋଲିସ ଫୋର୍ସ ଆସି ବୁଝାଶୁଝା କରିବାରୁ ରାସ୍ତା ଅବରୋଧ ହଟିଛି।