ବିପର୍ଯ୍ୟୟ ପରିଚାଳନା ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । କେଉଁ କ୍ଲାସରେ ଏହି କୋର୍ସ ରହିବ ସେନେଇ ବିଚାର ବିମର୍ଷ କରାଯାଉଛି। ନବମ ଦଶମରେ କ’ଣ ରହିବ, ତଳ କ୍ଲାସରେ କେଉଁ କୋର୍ସ ରହିବ, ସେ ଦିଗରେ କାମ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଶୀଘ୍ର ତାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।