ଖୁବ୍‌ଶୀଘ୍ର ୨ରୁ ୬ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କୋର୍ବେଭ୍ୟାକ୍ସର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ,୨୩।୨: କରୋନାକୁ ହରାଇବା ପାଇଁ ଦେଶରେ କରୋନା ଟିକା ଅଭିଯାନ ଜାରି ରହିଛି। କରୋନା ଲଢ଼େଇରେ ଭାରତକୁ ନିକଟରେ ଆଉ ଏକ ଅସ୍ତ୍ର ମିଳିଛି। ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଭାକ୍ସିନ କୋର୍ବେଭ୍ୟାକ୍ସକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଅନୁମୋଦନ ପ୍ରଦାନ କରିଛି। ୧୨ରୁ ୧୮ବର୍ଷ ବୟସର ପିଲାମାନଙ୍କୁ ଏହି ଟିକା ଦିଆଯିବ ବୋଲି ଡିସିଜିଆଇ ସୋମବାର ଘୋଷଣା କରିଥିଲା। ଇତିମଧ୍ୟରେ ଖୁବ୍‌ଶୀଘ୍ର ୨ରୁ୬ ବର୍ଷ ବୟସର ପିଲାଙ୍କୁ ଦିଆଯିବ କରୋନା ଟିକା। ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଦ୍ୱାରା ବିକଶିତ ହୋଇଥିବା କୋର୍ବେଭ୍ୟାକ୍ସ ପରୀକ୍ଷା ସମୟରେ ୨ରୁ ୬ବର୍ଷ ବୟସର ୨୩୦ ପିଲାଙ୍କୁ ଟିକା ଦିଆଯାଇଛି। ଏହି ପିଲାଙ୍କୁ କୋର୍ବେଭ୍ୟାକ୍ସର ପ୍ରଥମ ଡୋଜ ଦିଆଯାଇଛି। ତେବେ ଟିକାର ଦ୍ୱିତୀୟ ଡୋଜ ଏହି ପିଲାଙ୍କୁ ୨୧ ଦିନ ପରେ ଦିଆଯିବ। ଏହି ପିଲାଙ୍କୁ ଆସନ୍ତା ୬ମାସ ପର୍ଯ୍ୟନ୍ତ ନଜରରେ ରଖାଯିବ ବୋଲି କୋର୍ବେଭ୍ୟାକ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଟାଏଲ୍‌ ସମୟରେ ଦେଶର ବିଭିନ୍ନ ୧୦ଟି ହସ୍ପିଟାଲରେ ଏହି ପିଲାମାନଙ୍କୁ କୋର୍ବେଭ୍ୟାକ୍ସ ଟିକା ଦିଆଯାଇଥିଲା। ଦେଶର ୧୦ଟି ହସ୍ପିଟାଲରେ ଟ୍ରାଏଲ ସମୟରେ ସବୁଠାରୁ କମ୍‌ ବୟସର ୨୩୦ ପିଲାଙ୍କୁ ଏହି ଟିକା ଦିଆଯାଇଛି। କୋର୍ବେଭ୍ୟାକ୍ସର ଏହା ଏକ ଉନ୍ନତ ମାନବ ପରୀକ୍ଷା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପିଲାଙ୍କ ଉପରେ କୋର୍ବେଭ୍ୟାକ୍ସର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଅଗଷ୍ଟରୁ ଆରମ୍ଭ ହୋଇଥିଲା। କୋର୍ବେଭ୍ୟାକ୍ସର ପରୀକ୍ଷା ମେ’ ସୁଦ୍ଧା ଶେଷ ହୋଇଯିବ। ଏହାପରେ ୨ବର୍ଷରୁ ଅଧିକ ପିଲାଙ୍କୁ କୋର୍ବେଭ୍ୟାକ୍ସ ଟିକା ଦିଆଯିବ। ଏହି ପରୀକ୍ଷଣରେ ସମୁଦାୟ ୯୨୦ଜଣ ପିଲା ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ୧୨ରୁ ୧୭ ବର୍ଷ ବୟସର ୪୬୦ ପିଲା, ୭ରୁ ୧୧ ବର୍ଷ ବୟସର ୨୩୦ ପିଲା ଏବଂ ୨ରୁ ୬ବର୍ଷ ବୟସର ୨୩୦ଜଣ ପିଲା ସାମିଲ ରହିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ବ୍ୟତୀତ ଭାରତ ବାୟୋଟେକ କମ୍ପାନୀ ମଧ୍ୟ ୨ରୁ ୬ବର୍ଷ ବୟସର ପିଲାଙ୍କ ଉପରେ କୋଭାକ୍ସିନ ପରୀକ୍ଷା କରୁଥିବା ସୂଚନା ରହିଛି।

Share