ଦ୍ୱିତୀୟ ବିବାହର ସନ୍ତାନଙ୍କୁ ବି ମା’ଙ୍କ ସମ୍ପତ୍ତିରେ ମିଳିବ ଅଧିକାର: ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧୯।୧୧: ସାଧାରଣତଃ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଦେଖିବାକୁ ମିଳେ। ବିଶେଷକରି ଜଣେ ମହିଳାଙ୍କ ବିବାହ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ଏବଂ ପରେ ମହିଳା ଜଣକ ଦ୍ୱିତୀୟ ବିବାହ କରିବା ପରେ ଏଭଳି ବିବାଦ ଆହୁରି ଜଟିଳ ହୋଇଯାଏ। ଏପରି ସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ଉଠେ ଯେ, ପ୍ରଥମ ବିବାହ ପରେ ସ୍ବାମୀଙ୍କ ପରିବାରରୁ ମିଳିଥିବା ସମ୍ପତ୍ତି ଉପରେ ମହିଳାଙ୍କ ଦ୍ୱିତୀୟ ବିବାହରୁ ଜନ୍ମ ହୋଇଥିବା ପିଲାମାନଙ୍କର ଅଧିକାର ରହିବ କି ନାହିଁ? ଏଭଳି ଏକ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତେବେ ଜାଣନ୍ତୁ, ପୂରା ମାମଲା କ’ଣ ଏବଂ କୋର୍ଟ ଏହା ଉପରେ କ’ଣ ନିଷ୍ପତ୍ତି ନେଇଛନ୍ତି।

ଏହି ମାମଲା ଜଣେ ମହିଳାଙ୍କ ସହ ଜଡ଼ିତ। ମହିଳାଙ୍କ ସ୍ବାମୀ ଏବଂ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ମୃତ୍ୟୁ ପରେ ମହିଳାଙ୍କୁ ଉତ୍ତରାଧିକାର ସୂତ୍ରରେ ପ୍ରାୟ ୪୫ ବିଘା କୃଷି ଜମି ମିଳିଥିଲା। ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କୁ ଏହି ଜମି ୧୯୫୬ ପୂର୍ବରୁ ମିଳିଥିଲା। ଦିଲ୍ଲୀ ଭୂ-ସଂସ୍କାର ଆଇନ, ୧୯୫୪ ଅନୁଯାୟୀ ତାଙ୍କୁ ଏହି ଜମିର ଆଇନଗତ ଅଧିକାରୀ ଭାବେ ମାନ୍ୟତା ଦିଆଯାଇଥିଲା।

ମହିଳା ଜଣକ ନିଜ ପ୍ରଥମ ସ୍ବାମୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ଦ୍ୱିତୀୟ ବିବାହରୁ ତାଙ୍କର ଦୁଇଟି ପୁଅ ଜନ୍ମ ହୋଇଥିଲେ। କିନ୍ତୁ ମହିଳାଙ୍କ ସମ୍ପତ୍ତି ଉପରେ ଅଧିକାର କଥା ଉଠିବା ପରେ ପ୍ରଥମ ସ୍ବାମୀଙ୍କ ପରିବାର ଲୋକେ ଜମି ଉପରେ ନିଜର ଦାବି ଜାହିର କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଜମି ତାଙ୍କ ପରିବାରର ହୋଇଥିବାରୁ ଏହା ଉପରେ ମଧ୍ୟ ସେମାନଙ୍କର ଅଧିକାର ରହିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ପଟେ ପ୍ରଥମ ସ୍ବାମୀଙ୍କ ପରିବାର ଲୋକେ ଜମି ଉପରେ ନିଜର ଅଧିକାର ଦାବି କରୁଥିବାବେଳେ ଅନ୍ୟପଟେ ମହିଳାଙ୍କ ଦ୍ୱିତୀୟ ବିବାହରୁ ଜନ୍ମିତ ଦୁଇ ପୁଅ ମଧ୍ୟ ଜମି ଉପରେ ନିଜର ଅଧିକାର ଦାବି କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଜମି ଯେହେତୁ ସେମାନଙ୍କ ମାଆଙ୍କର, ତେଣୁ ତାଙ୍କ ମୃତ୍ୟୁ ପରେ ଏହା ଉପରେ ସେମାନଙ୍କର ଅଧିକାର ରହିବ।

ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। କୋର୍ଟ ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ର ଧାରା ୧୪(୧) ଅନୁଯାୟୀ ଏହାର ବିଚାର କରିଥିଲେ। ଏହି ଆଇନ ଅନୁଯାୟୀ, ଯଦି କୌଣସି ହିନ୍ଦୁ ମହିଳାଙ୍କର ପୂର୍ବରୁ କୌଣସି ସମ୍ପତ୍ତି ଉପରେ ଆଇନଗତ ଅଧିକାର ରହିଥାଏ, ତେବେ ସେହି ସମ୍ପତ୍ତି ଉପରେ ତାଙ୍କର ସୀମିତ ଅଧିକାର ମଧ୍ୟ ପୂର୍ଣ୍ଣ ମାଲିକାନା ଅଧିକାରରେ ପରିଣତ ହୋଇପାରେ। ଏଥିରେ ୧୯୫୬ ପୂର୍ବରୁ ଉତ୍ତରାଧିକାର ସୂତ୍ରରେ ମହିଳାଙ୍କୁ ମିଳିଥିବା ସମ୍ପତ୍ତି ମଧ୍ୟ ସାମିଲ ରହିଛି। ୧୯୫୬ରେ ହିନ୍ଦୁ ଉତ୍ତରାଧିକାର ଆଇନ ଲାଗୁ ହେବା ପରେ ମହିଳା ଜଣକ ଉକ୍ତ ଜମିର ପୂର୍ଣ୍ଣ ମାଲିକ ହୋଇଯାଇଥିଲେ।

ସୁପ୍ରିମକୋର୍ଟ ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ର ଧାରା ୧୪(୧) ଅନୁଯାୟୀ କହିଛନ୍ତି ଯେ, ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି ଉପରେ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ଅଧିକାର ରହିବ। ଅର୍ଥାତ୍‌ ସୁପ୍ରିମକୋର୍ଟ ମହିଳାଙ୍କ ଦ୍ୱିତୀୟ ବିବାହରୁ ଜନ୍ମିତ ପୁଅମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏଥିସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜମି କେବେ ମହିଳାଙ୍କ ପ୍ରଥମ ସ୍ବାମୀଙ୍କ ପରିବାରର ଥିଲା ବୋଲି ଦର୍ଶାଇ ଦ୍ୱିତୀୟ ବିବାହରୁ ଜନ୍ମିତ ଦୁଇ ପୁଅଙ୍କ ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ।

Dharitri – Odisha’s No.1 Odia Daily

Share