ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି। ୧୯୧୪ରେ ମାତ୍ର ୪୦ ଡିସିମିଲ ପରିମିତ ଜମିରେ ପ୍ରାଥମିକ ବିଦ୍ୟାଳୟ ଭାବେ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ୧୯୭୬ରେ ଉଚ୍ଚ ପ୍ରାଥମିକ ଓ ୨୦୦୮ରେ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଥିଲା। ବର୍ତ୍ତମାନ ଏଠାରେ ମାନେଶ୍ୱର, ଖଣ୍ଡୁଆଳ, ମଠପାଲି, ନକ୍ସାପାଲି, ଗୁଣ୍ଡେରପୁର, ବରଗଁା ଓ ଛତାବର ଭଳି ପ୍ରାୟ ୮ରୁ ଅଧିକ ଆଖପାଖ ଗ୍ରାମର ୧୯୫ ଛାତ୍ରୀଛାତ୍ର ଶିଶୁ ବାଟିକାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି। ହେଲେ ବିଦ୍ୟାଳୟର ଅସଜଡ଼ା ଭିତ୍ତିଭୂମିରୁ ଅଭିଭାବକ ଏବଂ ଛାତ୍ରୀଛାତ୍ର ମୁହଁ ମୋଡ଼ୁଥିବା ଦେଖିବାକୁ ମିଳୁଛି। ଫଳରେ ଏକଦା ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଥିବା ବିଦ୍ୟାଳୟରେ ଏବେ ଧୀରେ ଧୀରେ ପିଲାମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
ବିଦ୍ୟାଳୟରେ ୮ଟି ଶ୍ରେଣୀକକ୍ଷ ରହିଥିବାବେଳେ ସେଥିମଧ୍ୟରୁ ୪ ଶ୍ରେଣୀକକ୍ଷ ଓ ଶିକ୍ଷକ କମନ୍ ରୁମ୍ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସୀମିତ ସଂଖ୍ୟକ କକ୍ଷ ଯୋଗୁ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାଙ୍କୁ ଗୋଟିଏ କୋଠରିରେ ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାଙ୍କୁ ଅନ୍ୟ ଏକ କୋଠରିରେ ଏକାଠି ବସାଇ ପଢ଼ାଯାଉଛି। କେବଳ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍ବତନ୍ତ୍ର ଶ୍ରେଣୀଗୃହ ରହିଛି। ଅନ୍ୟପକ୍ଷେ ପ୍ରାଥମିକ ଶ୍ରେଣୀର ୭୭ ପିଲାଙ୍କ ପାଇଁ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି, ଯାହା ପ୍ରାରମ୍ଭିକସ୍ତରର ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନକୁ ବ୍ୟାପକ ପ୍ରଭାବିତ କରୁଛି। ସେହିପରି କମ୍ପ୍ୟୁଟର ଶିକ୍ଷା ପାଇଁ ୧୦ କମ୍ପ୍ୟୁଟର ସହ ଏକ ସ୍ବତନ୍ତ୍ର କକ୍ଷ ରହିଥିଲେ ସୁଦ୍ଧା କମ୍ପ୍ୟୁଟର ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ର ଉତ୍ତମ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ଭୋକେଶନାଲ ଶିକ୍ଷକ, ଶାରୀରିକ ଶିକ୍ଷା ଶିକ୍ଷକଙ୍କ ଅଭାବ ସାଙ୍ଗକୁ ଖେଳପଡ଼ିଆ ଓ ସଭାଗୃହର ଅଭାବ ରହିଛି। ୨୦୨୨ରେ ୫-ଟି ଯୋଜନାରେ ପ୍ରାୟ ୫୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଦ୍ୟାଳୟର ରୂପାନ୍ତରଣ କରାଯାଇ ୨ ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନାଗାର, ଇ-ଲାଇବ୍ରେରି, କମ୍ପ୍ୟୁଟର ଓ ଶୌଚାଳୟ ବ୍ୟବସ୍ଥା କରାଯାଇଥିଲା।
କେତେକ ଛାତ୍ରୀଛାତ୍ର କହିଛନ୍ତି, ସ୍ବଳ୍ପ ସଂଖ୍ୟକ ଶ୍ରେଣୀଗୃହ ସହ ମରାମତି ଅଭାବରୁ କେତେଗୋଟି ଶ୍ରେଣୀ ଗୃହରେ ବସି ପାଠ ପଢ଼ିବା କଷ୍ଟକର ହେଉଛି। ବିଶେଷକରି ବର୍ଷାରେ ଆଜ୍ବେଷ୍ଟସ ଛାତରୁ ପାଣି ଗଳୁଥିବାରୁ ବହିପତ୍ର ସବୁ ଭିଜିଯାଉଛି, ଯାହା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଚନ୍ଦ୍ରାକାନ୍ତା ଦାଶ ମଧ୍ୟ ଶିକ୍ଷକ ଅଭାବ ଓ ବିପର୍ଯ୍ୟସ୍ତ ଶ୍ରେଣୀଗୃହ ପାଇଁ ଶିକ୍ଷାଦାନ ପ୍ରଭାବିତ ହେଉଛି ବୋଲି କହିଛନ୍ତି। ଏଥିସହ ଏନେଇ ବିଭିନ୍ନ ସମୟରେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲା ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ, ଯଦ୍ଦ୍ବାରାଛାତ୍ରୀଛାତ୍ରଙ୍କ ସହିତ ଅଭିଭାବକ ମଧ୍ୟ ବିଦ୍ୟାଳୟରୁ ବିମୁଖ ହେବା ଆଶଙ୍କା ରହିଛି। ତେଣୁ ଯଥାଶୀଘ୍ର ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବା ସହ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଦାଶ ଦାବି କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ କୁଳମଣି ଦାସ କହିଛନ୍ତି, ନୂତନ ଶ୍ରେଣୀଗୃହ, ଖେଳପଡ଼ିଆ ଓ ଶିକ୍ଷକ ନିଯୁକ୍ତି ପାଇଁ ବିଡିଓ, ଜିଲା ଶିକ୍ଷାଧିକାରୀଙ୍କ ସହିତ ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଯାଇଥିଲେ ବି ସମସ୍ୟା ସମାଧାନ ହୋଇପାରି ନାହିଁ। ଅପରପକ୍ଷରେ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ କହିଛନ୍ତି, ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ମରାମତି କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିନିୟର ଟେକ୍ନିକାଲ କନ୍ସଲଟାଣ୍ଟ (ଏସ୍ଟିସି) କ୍ଷେତ୍ର ପରିଦର୍ଶନ କରିବେ ଏବଂ ସିଏସ୍ଆର୍ କିମ୍ବା ଅନ୍ୟ ସରକାରୀ ପାଣ୍ଠିରୁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। କମ୍ପ୍ୟୁଟର ଶିକ୍ଷକ ପାଇଁ ସ୍ବତନ୍ତ୍ର ପଦବୀ ନ ଥିବାରୁ ବର୍ତ୍ତମାନର ଶିକ୍ଷକମାନଙ୍କୁ ତାଲିମ ଦିଆଯାଇ କମ୍ପ୍ୟୁଟର ଶିକ୍ଷାଦାନ ଲାଗି ନିୟୋଜିତ କରାଯାଇଛି ବୋଲି ଭୋଇ କହିଛନ୍ତି। ମାନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଲୋକିତା ଦାଶ କହିଛନ୍ତି, ବିଦ୍ୟାଳୟର ଜରାଜୀର୍ଣ୍ଣ ସ୍ଥିତି ନେଇ ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଏହା ସହିତ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ଅଧୀନରେ ଆସୁଥିବାରୁ, ଏସ୍ଏମ୍ସି ତରଫରୁ ଲିଖିତ ପ୍ରସ୍ତାବ କିମ୍ବା ଅଭିଯୋଗ ଆସିଲେ ତାହାକୁ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ତଥା ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ପ୍ରକାଶ କରିଛନ୍ତି।