ପ୍ରତ୍ୟେକ ମାତାପିତା ଚାହାନ୍ତି, ସେମାନଙ୍କ ପିଲା ସୁସ୍ଥ ରହୁ ଏବଂ ବିନା କୌଣସି ଅସୁବିଧାରେ ଜୀବନ ବିତାଉ। କିନ୍ତୁ ଯେତେବେଳେ ଛୋଟ ପିଲାଟିଏ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ହୁଏ, ସେତେବେଳେ ପୂରା ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼େ। ଏତେ କମ୍ ବୟସରେ ପିଲାଙ୍କୁ କ୍ୟାନ୍ସର କାହିଁକି ହୁଏ? ଏହାର ପ୍ରାରମ୍ଭିକ ଲକ୍ଷଣ କ’ଣ? ଏହି ରୋଗର ଚିକିତ୍ସା ସମ୍ଭବ କି? ଏଭଳି ଅନେକ ପ୍ରଶ୍ନ ମନକୁ ଆସେ।
କମ୍ ବୟସର ପିଲାଙ୍କୁ ହେଉଥିବା କ୍ୟାନ୍ସରକୁ ଚାଇଲ୍ଡହୁଡ୍ କ୍ୟାନ୍ସର ବା ଶିଶୁ କ୍ୟାନ୍ସର କୁହାଯାଏ। ଏହା ଶରୀରର କୋଷଗୁଡ଼ିକରେ ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ହୋଇଥାଏ। ପିଲାଙ୍କଠାରେ ଦେଖାଯାଉଥିବା କ୍ୟାନ୍ସର ସବୁବେଳେ ବୟସ୍କଙ୍କ କ୍ୟାନ୍ସର ଭଳି ନୁହେଁ । ଏହାର ପ୍ରକାର ଓ ଚିକିତ୍ସା ପଦ୍ଧତି ମଧ୍ୟ ଭିନ୍ନ ହୋଇପାରେ। ଏଥିପାଇଁ ଶିଶୁଙ୍କ କ୍ୟାନ୍ସରର ଚିହ୍ନଟ ଓ ଚିକିତ୍ସା ପାଇଁ ମେଡିକାଲ୍ ସାଇନ୍ସରେ ପେଡିଆଟ୍ରିକ୍ ଅଙ୍କୋଲୋଜି ନାମକ ଏକ ସ୍ୱତନ୍ତ୍ର ବିଭାଗ ରହିଛି।
ଆମେରିକାର ନ୍ୟାସନାଲ୍ କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟ୍ (NCI)ର ୨୦୨୫ ମସିହାର ଆକଳନ ଅନୁସାରେ, ଆମେରିକାରେ ଜନ୍ମରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୯,୫୫୦ ପିଲାଙ୍କଠାରେ କ୍ୟାନ୍ସରର ନୂଆ ମାମଲା ଚିହ୍ନଟ ହେବାର ଆଶଙ୍କା ଥିଲା। ଏହି ରୋଗ ଯୋଗୁଁ ପ୍ରାୟ ୧,୦୫୦ ପିଲାଙ୍କ ମୃତ୍ୟୁ ହେବାର ମଧ୍ୟ ଆକଳନ କରାଯାଇଥିଲା। ତେବେ ୧୯୭୦ରୁ ୨୦୨୦ ମଧ୍ୟରେ ଏହି ବୟସ ବର୍ଗର ପିଲାଙ୍କଠାରେ କ୍ୟାନ୍ସରଜନିତ ମୃତ୍ୟୁହାର ପ୍ରାୟ ୭୦ ପ୍ରତିଶତ ହ୍ରାସ ପାଇଛି।ପିଲାଙ୍କଠାରେ ସାଧାରଣତଃ ଦେଖାଯାଉଥିବା କ୍ୟାନ୍ସର ମଧ୍ୟରେ ଲ୍ୟୁକେମିଆ (ରକ୍ତ କର୍କଟ), ମସ୍ତିଷ୍କ ଓ କେନ୍ଦ୍ରୀୟ ସ୍ନାୟୁତନ୍ତ୍ର (CNS)ର ଟ୍ୟୁମର ଏବଂ ଲିମ୍ଫୋମା ଅନ୍ୟତମ।
ପିଲାଙ୍କଠାରେ କ୍ୟାନ୍ସର ହେବାର କାରଣ ସବୁ କ୍ଷେତ୍ରରେ ସମାନ ନୁହେଁ । NCIର ତଥ୍ୟ ଅନୁସାରେ, ଶିଶୁ କ୍ୟାନ୍ସରର ପ୍ରାୟ ୮ରୁ ୧୦ ପ୍ରତିଶତ ମାମଲା ବଂଶଗତ ଜିନ୍ଗତ ପରିବର୍ତ୍ତନ ବା ଜେନେଟିକ୍ ମ୍ୟୁଟେସନ୍ ସହ ଜଡ଼ିତ । ଏଭଳି କେତେକ ପରିବର୍ତ୍ତନ ମାତାପିତାଙ୍କଠାରୁ ପିଲାଙ୍କୁ ମିଳିପାରେ । ଏହା ଶରୀରର କୋଷଗୁଡ଼ିକର ସ୍ୱାଭାବିକ କାର୍ଯ୍ୟକୁ ପ୍ରଭାବିତ କରି ରୋଗ ସୃଷ୍ଟି କରିପାରେ । ତେବେ ପିଲାଙ୍କଠାରେ ହେଉଥିବା ସବୁ କ୍ୟାନ୍ସରର କାରଣ ବଂଶଗତ ନୁହେଁ । ପ୍ରତ୍ୟେକ ମାମଲାର କାରଣ ଅଲଗା ହୋଇପାରେ । ତେଣୁ ଡାକ୍ତରୀ ପରୀକ୍ଷା ବିନା କୌଣସି ପିଲାଙ୍କ କ୍ୟାନ୍ସରର କାରଣ ନିର୍ଦ୍ଦିଷ୍ଟ ଭାବେ କହିବା ଠିକ୍ ନୁହେଁ ।
ଶିଶୁ କ୍ୟାନ୍ସରର ଲକ୍ଷଣ ବିଭିନ୍ନ ପ୍ରକାରର ହୋଇପାରେ । ତେବେ ନିମ୍ନରେ ଥିବା ଲକ୍ଷଣ ଦେଖାଗଲେ ତାହା କ୍ୟାନ୍ସର ବୋଲି ନିଶ୍ଚିତ କରିହେବ ନାହିଁ । ଅନ୍ୟ ସାଧାରଣ ରୋଗରେ ମଧ୍ୟ ଏଭଳି ଲକ୍ଷଣ ଦେଖାଯାଇପାରେ। କିନ୍ତୁ ଲକ୍ଷଣଗୁଡ଼ିକ ଲଗାତାର ରହିଲେ କିମ୍ବା ବଢ଼ିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ପିଲାଙ୍କୁ ପରିସ୍ରା କରିବାରେ ଅସୁବିଧା ହେବା କିମ୍ବା ପରିସ୍ରାରେ ରକ୍ତ ପଡ଼ିବା।
ଶରୀରର କୌଣସି ସ୍ଥାନରେ ବିନା କାରଣରେ ଗଣ୍ଠି ହେବା, କଠିନ ଅଂଶ ଅନୁଭବ ହେବା କିମ୍ବା ଫୁଲା ଦେଖାଯିବା।
ଦୀର୍ଘ ସମୟ ଧରି ପେଟ ଯନ୍ତ୍ରଣା ହେବା କିମ୍ବା ପେଟ ଫୁଲିବା।
ଲଗାତାର ହାଡ଼ ବା ପିଠିରେ ଯନ୍ତ୍ରଣା ହେବା, ବିଶେଷକରି ରାତିରେ ଯନ୍ତ୍ରଣା ଯୋଗୁଁ ନିଦ ଭାଙ୍ଗିବା।
ମୁଣ୍ଡବିନ୍ଧା ଲଗାତାର ରହିବା କିମ୍ବା ଚିକିତ୍ସା ପରେ ମଧ୍ୟ ନ କମିବା।
ହଠାତ୍ ଖଣ୍ଡିଆ ବାତ ହେବା କିମ୍ବା ଆଚରଣ ଓ ମନୋଭାବରେ ଅସ୍ୱାଭାବିକ ପରିବର୍ତ୍ତନ।
ପିଲା ସବୁବେଳେ ଥକା ଅନୁଭବ କରିବା କିମ୍ବା ଚର୍ମ ସାଧାରଣଠାରୁ ଅଧିକ ଫିକା ଦେଖାଯିବା।
ପିଲାଙ୍କୁ ବାରମ୍ବାର ସଂକ୍ରମଣ ହେବା କିମ୍ବା ଫ୍ଲୁ ଭଳି ଲକ୍ଷଣ ଲାଗି ରହିବା।
ସ୍ପଷ୍ଟ କାରଣ ନଥାଇ ଲଗାତାର ବାନ୍ତି ହେବା।
ବିନା କାରଣରେ ଜ୍ୱର ହେବା କିମ୍ବା ରାତିରେ ଅତ୍ୟଧିକ ଝାଳ ବୋହିବା।
ଶ୍ୱାସ ନେବାରେ କଷ୍ଟ ହେବା କିମ୍ବା ଅଳ୍ପ ପରିଶ୍ରମରେ ଧଇଁସଇଁ ହେବା।
ଆଖିର ଦେଖିବା ଶକ୍ତି ବା ଗଠନରେ ପରିବର୍ତ୍ତନ ଏବଂ ଫଟୋରେ ଆଖିରୁ ଅସ୍ୱାଭାବିକ ଆଲୋକ ପ୍ରତିଫଳନ ଦେଖାଯିବା।
ବିନା କାରଣରେ ପିଲାଙ୍କ ଓଜନ କମିବା।
ଶରୀରରେ କୌଣସି ସ୍ପଷ୍ଟ କାରଣ ନଥାଇ ଛୋଟ ନାଲି ବା ବାଇଗଣୀ ରଙ୍ଗର ଦାଗ ଦେଖାଯିବା।