ଚର୍ଚ୍ଚରେ ଶିଶୁଙ୍କୁ ଯୌନ ଶୋଷଣ

ଲିସ୍‌ବନ୍‌, ୧୧ା୨:ପର୍ତ୍ତୁଗିଜ୍‌ କ୍ୟାଥୋଲିକ୍‌ ଚର୍ଚ୍ଚରେ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଖବର ପ୍ରକାଶ ପାଇ ଆସୁଥିବାବେଳେ ଏହା ଉପରେ ଅଧ୍ୟୟନ କରୁଥିବା ଏକ ସ୍ବାଧୀନ କମିଟି ଗୁରୁବାର ଏକ ରିପୋର୍ଟ ପ୍ରଘଟ କରିଛି। ନ୍ୟାୟ ପାଇଁ ପ୍ରତିଶ୍ରୁତି ପାଇବା ପରେ ଶହ ଶହ ନିର୍ଯାତିତ ଦଶନ୍ଧି ଧରି ଲୁଚାଇ ରଖିଥିବା ଯନ୍ତ୍ରଣା ବଖାଣିଛନ୍ତି। କମିଟି କାର୍ଯ୍ୟକାରୀ ହେବାର ମାତ୍ର ମାସକ ମଧ୍ୟରେ ୨୧୪ ଜଣ ନିର୍ଯାତିତ ସେମାନଙ୍କ ଅଭିଯୋଗକୁ ଅନଲାଇନ ଯୋଗେ ଦାଖଲ କରିଛନ୍ତି। ପୀଡ଼ିତାପୀଡ଼ିତଙ୍କ ମଧ୍ୟରେ ଅଧିକାଂଶ ୧୯୩୩ରୁ ୨୦୦୬ ମଧ୍ୟରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ରହିଛନ୍ତି ବୋଲି କମିଟି କହିଛି।
ଲଜ୍ଜା, ଭୟ, ଆତ୍ମବିଶ୍ୱାସ ଅଭାବ ଯୋଗୁ ଅଧିକାଂଶ ନିର୍ଯାତିତ ଏହାକୁ ଲୋକଲୋଚନକୁ ଆଣିପାରି ନ ଥିବା କମିଟି ଏକ ବିବୃତିରେ କହିଛି। ପର୍ତ୍ତୁଗାଲ ଚର୍ଚ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ, ୨ ବର୍ଷ ତଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ତଦନ୍ତ କରାଯାଇଥିଲା। ୨୦୦୧ରୁ ଚର୍ଚ୍ଚରେ ପ୍ରିଷ୍ଟମାନଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ମାତ୍ର ଡଜନେ ମାମଲା ସାମ୍‌ନାକୁ ଆସିଥିଲା। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ସେଥିମଧ୍ୟରୁ ଅଧାରୁ ଅଧିକ ମାମଲାକୁ ଚର୍ଚ୍ଚ ପକ୍ଷରୁ ଖାରଜ କରିଦିଆଯାଇଥିଲା। ପରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି, ଜଣେ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସମେତ ୬ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଉକ୍ତ କମିଟି ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି ଦେଇ ନିର୍ଯାତନାର ଶିକାର ହୋଇଥିବା ସମସ୍ତଙ୍କୁ ଅଭିଯୋଗ କରିବା ନିମନ୍ତେ କହିଥିଲା। ଜାନୁୟାରୀ ୧ରୁ ଏହି କମିଟି କାର୍ଯ୍ୟ ଆରମ୍ଭ କରିଥିବାବେଳେ ମାତ୍ର ମାସକରେ ୨୧୪ ଯୌନ ଶୋଷଣ ଅଭିଯୋଗ ଆସିଛି। ଉକ୍ତ କମିଟି ଚଳିତ ବର୍ଷ ଶେଷସୁଦ୍ଧା ପର୍ତ୍ତୁଗିଜ୍‌ ବିଶପ୍‌ କନଫରେନ୍ସରେ ରିପୋର୍ଟ ପ୍ରଦାନ କରିବ। ଜଣେ ଅଭିଯୁକ୍ତଙ୍କ ଦ୍ୱାରା ଏକାଧିକ ଶିଶୁ ନିର୍ଯାତନାର ଶିକାର ହୋଇଥାଇପାରନ୍ତି ବୋଲି ଉକ୍ତ ବିବୃତିରେ କୁହାଯାଇଛି। ଅନ୍‌ଲାଇନରେ ସାକ୍ଷୀଙ୍କ ବୟାନ ମଧ୍ୟ ସଂଗ୍ରହ କରାଯାଇଛି। ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଲକ୍ସନବର୍ଗ, ସୁଇଜରଲାଣ୍ଡ ଆଦି ଦେଶରେ ପର୍ତ୍ତୁଗାଲର ପ୍ରବାସୀମାନେ ବାସ କରୁଥିବାରୁ ସେଠାରୁ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି। ଇଣ୍ଟରନେଟ ତଥା ଅନ୍ୟ ଟେକ୍ନୋଲୋଜି ଅପହଞ୍ଚ ଥିବା ଗ୍ରାମାଞ୍ଚଳ ଓ କମ୍‌ ବିକଶିତ ଅଞ୍ଚଳଗୁଡ଼ିକରେ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାପୀଡ଼ିତଙ୍କ ନିକଟରେ ପହଞ୍ଚିବା ପାଇଁ କମିଟି ଉଦ୍ୟମ କରୁଛି। ଏଥିନିମନ୍ତେ ବିଭିନ୍ନ ଦାତବ୍ୟ ସଂସ୍ଥା, ସାମାଜିକ ଅନୁଷ୍ଠାନର ସହାୟତା ନିଆଯାଉଥିବା ଉକ୍ତ କମିଟି କହିଛି।

Share