ଭୁବନେଶ୍ୱର,୧୦।୩(ରବିନାରାୟଣ ଜେନା): ଜାତୀୟସ୍ତରରେ ଶିଶୁ ମୃତ୍ୟୁହାର (ଆଇଏମ୍ଆର୍) ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ୨୦୨୩ ରିପୋର୍ଟ ଅନୁଯାୟୀ, ପ୍ରତି ୧୦୦୦ ଶିଶୁଙ୍କ କ୍ଷେତ୍ରରେ ୨୫ଜଣଙ୍କ ମୃତ୍ୟୁ ହେଉଛି। ୨୦୨୨ରେ ଏହି ହାର ୨୬ ରହିଥିବାବେଳେ ୨୦୧୫ରେ ୩୭ ଥିଲା। ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ଆଦିବାସୀ ବହୁଳ ୬ଟି ଜିଲାରେ ଶିଶୁ ମୃତ୍ୟୁହାର ଜାତୀୟ ହାରଠାରୁ ଅଧିକ ରହିଛି ବୋଲି ବିଧାନସଭା ତଥ୍ୟରୁ ଜଣାଯାଇଛି।
କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ କଳାହାଣ୍ଡିରେ ଆଇଏମ୍ଆର୍ ହାର ୩୪ ରହିଥିବାବେଳେ କନ୍ଧମାଳରେ ୩୧, କୋରାପୁଟରେ ୨୯, ମାଲକାନଗିରିରେ ୩୬, ନବରଙ୍ଗପୁରରେ ୩୪ ଓ ରାୟଗଡ଼ାରେ ୩୬ ରହିଛି। ମାତ୍ର ଗଜପତିରେ ଜାତୀୟ ହାର ସହିତ ସମାନ ଅର୍ଥାତ୍ ୨୫ ରହିଥିବାବେଳେ ବାଲେଶ୍ୱରରେ ୧୧, କେନ୍ଦୁଝରରେ ୧୮, ମୟୂରଭଞ୍ଜରେ ୨୩, ସମ୍ବଲପୁରରେ ୧୧ ଏବଂ ସୁନ୍ଦରଗଡ଼ରେ ୧୪ ରହିଛି।
ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ତାରକା ପ୍ରଶ୍ନ ସଂଖ୍ୟା-୧୦୯ର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏସ୍ଆର୍ଏସ୍ ସର୍ଭେ ଅନୁଯାୟୀ, ଜାତୀୟ ଶିଶୁ ମୃତ୍ୟୁ ହାର ୨୫ଥିବା ହେବଳେ ଓଡ଼ିଶାର ଶିଶୁ ମୃତ୍ୟୁହାର ୩୦ ରହିଛି। ବିଗତ
୧୦ ବର୍ଷରେ ଜାତୀୟସ୍ତରରେ ଏହା ୧୫ ୟୁନିଟ୍ ହ୍ରାସ ପାଇଥିବା ସ୍ଥଳେ ରାଜ୍ୟରେ ଏହା ୨୧ ୟୁନିଟ୍ ହ୍ରାସ ପାଇଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଶିଶୁମୃତ୍ୟୁହାର କମାଇବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହୋମ୍ ବେସଡ ନିୟୁ ବର୍ନ କେୟାର କାର୍ଯ୍ୟକ୍ରମ, ନବଜାତ ଶିଶୁ ଯତ୍ନ କୋଣ ସ୍ଥାପନ(ଏନ୍ବିସିସି), ନବଜାତ ଶିଶୁ ଯତ୍ନ କେନ୍ଦ୍ର ସ୍ଥାପନ, ରାଜ୍ୟର ସବୁ ଭେଷଜ ମହାବିଦ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁ ଯତ୍ନ କେନ୍ଦ୍ରମାନ ସ୍ଥାପନ କରାଯିବା ସହିତ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାବାଦ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ, ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଇଞ୍ଜେକ୍ସନ ପ୍ରଦାନ, ଆଶା, ସ୍ବାସ୍ଥ୍ୟକର୍ମୀଙ୍କ ସହିତ ସମସ୍ତ ଶିଶୁ ସ୍ବାସ୍ଥ୍ୟ ସହ ଜଡିତ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଉଛି। ଏହାସହିତ ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଗଣମାଧ୍ୟମ ଯଥା ରେଡିଓ, ଟେଲିଭିଜନ, ଖବରକାଗଜ ଓ ପ୍ରଚାରପତ୍ର ମାଧ୍ୟମରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଗର୍ଭବତୀ ମହିଳାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କ ଦ୍ବାରା ଗ୍ରାମ୍ୟ ସ୍ତରରେ ପ୍ରତ୍ୟେକ ମାସ ଭିଏଚ୍ଏସ୍ଏନ୍ଡି କରାଯାଇ ବିପଦପୂର୍ଣ୍ଣ ଗର୍ଭ ଚିହ୍ନଟ କରାଯାଉଛି। ମହିଳାମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଇ ତାଲିମପ୍ରାପ୍ତ ଡାକ୍ତର ଓ ସେବିକାମାନଙ୍କ ଦ୍ବାରା ଚିକିତ୍ସା ପ୍ରଦାନ କରାଯାଉଛି। ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାମାନଙ୍କର ସୁବିଧା ପାଇଁ ମା’ଗୃହର ବ୍ୟବସ୍ଥା କରାଯାଇଛି।
ରାଜ୍ୟରେ ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଭେଷଜ ମହାବିଦ୍ୟାଳୟଗୁଡ଼ିକରେ ସହଜ ପ୍ରସବ ନିମନ୍ତେ ୧୦ଟି ଏମ୍ଏଲ୍ସିୟୁ ପ୍ରତିଷ୍ଠା କରାଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦୯ଜଣ ସ୍ବତନ୍ତ୍ର ତାଲିମପ୍ରାପ୍ତ ସେବିକାମାନଙ୍କୁ ନିୟୋଜିତ କରାଯାଇଛି। ଗତ ବର୍ଷରେ ୧୦,୮୮୮ଜଣ କମ୍ ଓଜନର ଶିଶୁ (୧୮୦୦ ଗ୍ରାମରୁ କମ୍) ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ରରେ ଚିକିତ୍ସା ହୋଇ ସୁସ୍ଥ ହୋଇପାରିଛନ୍ତି। ଅସୁସ୍ଥ ଶିଶୁମାନଙ୍କ ପାଇଁ, ମା’ କ୍ଷୀର ଉପଲବ୍ଧ କରିବା ନିମନ୍ତେ ୨୮ଟି ସ୍ତନ୍ୟପାନ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାସହିତ ଗତବର୍ଷ ୨୭୫୩ ମହିଳା ସ୍ବାସ୍ଥ୍ୟକର୍ମୀ ନୂତନ ଭାବେ ଯୋଗଦାନ କରି ମହିଳା ଓ ଶିଶୁ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
Dharitri – Odisha’s No.1 Trusted Odia Daily

