ଚାଇଲ୍ଡ ଲାଇନର ଚଢାଉ: ୨ ସ୍ଥାନରୁ ୨୧ ଉଦ୍ଧାର

ମାଲକାନଗିରି,୧୧।୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚାଇଲ୍ଡ ଲାଇନ ପକ୍ଷରୁ ଶୁକ୍ରବାର ୨ଟି ସ୍ଥାନରୁ କାର୍ଯ୍ୟରେ ନିୟୋଜିତ ଥିବା ୧୦ ଶିଶୁଶ୍ରମିକ ଏବଂ ତେଲଙ୍ଗାନାକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମାଲକାନଗିରିସ୍ଥିତ ସଂସ୍କୃତି ଭବନ କାର୍ଯ୍ୟାଳୟ ପାଚେରି ନିର୍ମାଣରେ ଜଣେ ଠିକାଦାର ଜିଲାର ବିଭିନ୍ନ ଗ୍ରାମରୁ ୧୦ ଜଣ ନାବାଳିକା ଶିଶୁଙ୍କୁ ଆଣି ଶ୍ରମିକ ଭାବେ ନିୟୋଜିତ କରିଥିଲେ। ଖବର ପାଇ ଚାଇଲ୍ଡଲାଇନ ସଦସ୍ୟାସଦସ୍ୟ, ଶ୍ରମ ବିଭାଗ, ପୋଲିସ ଓ ବିଭାଗୀୟ ଅଧିକାରୀମାନେ ପହଞ୍ଚତ୍ ସେଠାରେ କାମ କରୁଥିବା ୧୦ ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ କମିଟିରେ ହାଜର ପରେ ସେମାନଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଓ ଅନ୍ୟମାନେ କାଉନସେଲିଂ କରିଥିଲେ। ନାବାଳିକାଙ୍କୁ ସ୍ବଧାର ଗୃହରେ ରଖାଯାଇଛି। ତେବେ ସେମାନଙ୍କୁ କାର୍ଯ୍ୟରେ ଲଗାଇଥିବା ଠିକାଦାର ଫେରାର ହୋଇଯାଇଛନ୍ତି।
ସେହିପରି ମାଲକାନଗିରି ବସ୍‌ଷ୍ଟାଣ୍ଡଠାରୁ ଗୁପ୍ତା ନାମକ ଏକ ଘରୋଇ ବସରେ ୧୧ ଜଣ ତେଲଙ୍ଗନାର ଭଦ୍ରାଚଳମକୁ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଉଥିବା ଖବର ପାଇ ଚାଇଲ୍ଡ୍‌ ଲାଇନ କର୍ମକର୍ତ୍ତା ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଓ ୮ଜଣ ଯୁବତୀ ଅଛନ୍ତି। ଚଢାଉରେ ଚାଇଲ୍ଡ ଲାଇନର ଆଦିତ୍ୟ ପ୍ରସାଦ ବେହେରା, ହୃଷୀକେଶ ସାହୁ, ବିଷ୍ଣୁ ଡାକୁଆଙ୍କ ସମେତ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।