ଶିଶୁଶ୍ରମିକ ସୁରକ୍ଷା ଓ ପେନ୍‌ସିଲ ପୋର୍ଟାଲ

୧୯୭୯ ମସିହାରେ ଗଠିତ ଗୁରୁପଦସ୍ବାମୀ କମିଟିଙ୍କ ରିପୋର୍ଟ ଭାରତବର୍ଷରେ ଶିଶୁଶ୍ରମିକ ପ୍ରଥାର ନିରାକରଣ ପାଇଁ ଅନେକ ବାଟ ଖୋଲିଦେଇଥିଲା। ଏହି ରିପୋର୍ଟ ଆଧାରରେ ଦେଶରେ ଶିଶୁଶ୍ରମିକ (ନିଷିଦ୍ଧ ଓ ନିୟନ୍ତ୍ରଣ) ଆଇନ,୧୯୮୬ରେ ପ୍ରଣୟନ କରାଗଲା। ସପ୍ତମ ପଞ୍ଚବାର୍ଷିକ ଯୋଜନାରେ ଦେଶରେ ଜାତୀୟ ଶିଶୁ ଶ୍ରମ ପଲିସି କ୍ୟାବିନେଟ୍‌ରେ ମଞ୍ଜୁରୀ ପାଇଲା। ପୁନଶ୍ଚ ୧୪ ବର୍ଷରୁ କମ୍‌ ବୟସର କାର୍ଯ୍ୟରତ ଶିଶୁ ମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଉଦ୍ଧାରକରି ସ୍ବତନ୍ତ୍ର ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ଦେଇ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଶ୍ୱର ସର୍ବବୃହତ୍‌ ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପ ୧୯୮୮ରେ ଖୋଲାଗଲା। ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପ ଦେଶର ଶିଶୁଶ୍ରମିକମାନଙ୍କ ପାଇଁ ବରଦାନ ସଦୃଶ ଥିଲା। ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ୨୦୦୧ ରୁ ୨୦୧୧ ଭିତରେ ଦେଶରେ ପ୍ରାୟ ୮୩ ଲକ୍ଷ ଶିଶୁଶ୍ରମିକ ହ୍ରାସ ପାଇଲେ।
ସମଗ୍ର ଦେଶରେ ଏକ ଶିଶୁଶ୍ରମିକ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲା ପ୍ରଶାସନ,ନାଗରିକ ସମାଜ ଓ ଜନସାଧାରଣଙ୍କୁ ଏକକ ମଞ୍ଚରେ ନିୟୋଜିତ କରିବା ସହିତ ଶିଶୁ ଶ୍ରମିକ ପ୍ରଥା ସମ୍ପର୍କିତ ସମସ୍ତ ତଥ୍ୟ ଓ ଅଭିଯୋଗକୁ ଏକକ ଡାଟାବେସ୍‌ ମାଧ୍ୟମରେ ପରିଚାଳନା କରିବା ନିମନ୍ତେ ସରକାର ତା୨୬ା୦୯ା୨୦୧୭ରଖରେ ପେନ୍‌ସିଲ (Platform for Effective Enforcement for No Child Labour) ନାମରେ ଏକ ପୋର୍ଟାଲ ପ୍ରଚଳନ କଲେ। ଶିଶୁଶ୍ରମିକ ଆଇନର ସଫଳ ପ୍ରଣୟନ,ଅଭିଯୋଗ ପ୍ରକୋଷ୍ଠ,ସମସ୍ତ ବିଭାଗର ଏକାଭିମୁଖତା,ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପର ପରିଚାଳନା,ଶିଶୁମାନଙ୍କ ଟ୍ରାକିଂ ଓ ରାଜ୍ୟ ସରକାରଙ୍କ ଦ୍ୱାରା ମନିଟରିଂ ଆଦି ଏହି ପୋର୍ଟାଲର ମୁଖ୍ୟ ଉପାଦାନ ରହିଲା। ଏହି ପୋର୍ଟାଲରେ ଥିବା ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଦେଶର ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେକେହି ଶିଶୁ କିମ୍ବା କିଶୋର ଶ୍ରମିକ ନିୟୋଜିତ ହେବାର ଦେଖିଲେ କୌଣସି କାର୍ଯ୍ୟାଳୟକୁ ନ ଯାଇ ତତ୍‌କ୍ଷଣାତ ଅଭିଯୋଗ ଦାଖଲକରି ପାରିବାର ବ୍ୟବସ୍ଥା ରହିଛି। ନୂତନ ଅଭିଯୋଗ ଦାଖଲ ଲିଙ୍କ୍‌ରେ କ୍ଲିକ୍‌ କଲେ ନିୟୋଜିତ ହୋଇଥିବା ଶିଶୁ/କିଶୋରର ତଥ୍ୟ,କାର୍ଯ୍ୟକ୍ଷେତ୍ରର ଠିକଣା ଓ ଅଭିଯୋଗକାରୀଙ୍କ ତଥ୍ୟ ପ୍ରଦାନ କରି ଅଭିଯୋଗ ଦାଖଲ କରିହେବ। ଜିଲା ନୋଡାଲ ଅଧିକାରୀ ଅଭିଯୋଗର ସତ୍ୟାସତ୍ୟ ତଦନ୍ତକରି କାର୍ଯ୍ୟାନୁଷ୍ଠାନ କରିବା ସହ ସମ୍ପୃକ୍ତ ଶିଶୁ/କିଶୋର ଶ୍ରମିକକୁ ଉଦ୍ଧାରକରି (୮ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଶ୍ରମିକ) ସମଗ୍ର ଶିକ୍ଷା ଅଭିଯାନରେ ୯ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପରେ ଓ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ କିଶୋରକୁ ଦକ୍ଷତା ବିକାଶ କେନ୍ଦ୍ରରେ ଦାଖଲ କରି ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ପେନ୍‌ସିଲ ପୋର୍ଟାଲ ଖୋଲିବା ପରଠାରୁ ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପ ସମେତ ସମସ୍ତ ଶିଶୁଶ୍ରମିକ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ପରିଚାଳନା ପୋର୍ଟାଲ ମାଧ୍ୟମରେ କେବଳ ଗ୍ରହଣ କରାଗଲା। ଶିଶୁଶ୍ରମିକ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ ପଢୁଥିବା ଶିଶୁଶ୍ରମିକ ଛାତ୍ରୀଛାତ୍ରମାନଙ୍କ ଦୈନିକ ଉପସ୍ଥାନ ମଧ୍ୟ ପୋର୍ଟାଲ ମାଧ୍ୟମରେ କରିବା ପାଇଁ ବାଧ୍ୟ କରାଗଲା। କିନ୍ତୁ ସେଥିପାଇଁ ଭିତ୍ତିଭୂମିର ବିକାଶ କରାଗଲା ନାହିଁ। ଉଦାହରଣ ସ୍ବରୂପ ଶିଶୁଶ୍ରମିକ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକଙ୍କ ଦରମା ମାସିକ ୭୦୦୦ ଟଙ୍କା ଥିଲାବେଳେ ହିସାବ ରକ୍ଷକଙ୍କ ଦରମା ମାତ୍ର ୫୦୦୦ ଟଙ୍କା। ଏତିକି ଦରମାରେ ଉକ୍ତ କର୍ମଚାରୀ ବିଚରା ପେନ୍‌ସିଲ ପୋର୍ଟାଲର ପରିଚାଳନା ପାଇଁ ଆଣ୍ଡ୍ରୋଏଡ୍‌ ଫୋନ୍‌ଟିଏ କିଣିବ କେମିତି? ପୁଣି ସେଥିରେ ପ୍ରତି ମାସରେ ଡାଟାପ୍ୟାକ୍‌ ପକାଇବ କିପରି ? ପୁନଶ୍ଚ ଚଳିତ ବର୍ଷ ଲୋକ ସଭାରେ କେନ୍ଦ୍ର ସଞ୍ଚାର ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଆମ ଦେଶର ୫,୯୭,୬୧୮ ଗ୍ରାମ ମଧ୍ୟରୁ ୨୫,୦୬୭ ଗ୍ରାମରେ ଓ ଆମ ରାଜ୍ୟର ୫୧୫୮୩ ଗ୍ରାମ ମଧ୍ୟରୁ ୬୦୯୯ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ମୋବାଇଲ ଓ ଇଣ୍ଟରନେଟ୍‌ର ସେବାର ବ୍ୟବସ୍ଥା ନାହିଁ। ତା’ହେଲେ ଉକ୍ତ ଗ୍ରାମଗୁଡ଼ିକର ଜନସାଧାରଣ ଓ ଶିଶୁଶ୍ରମିକ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ପେନ୍‌ସିଲ ପୋର୍ଟାଲକୁ ବ୍ୟବହାର କରିବେ କେମିତି ? ପେନ୍‌ସିଲ ପୋର୍ଟାଲ ମାଧ୍ୟମରେ ଦୈନିକ ତଥ୍ୟ ନ ଦେଲେ ସରକାର ଅନୁଦାନ ବନ୍ଦ କରିଦେଲେ। ଫଳରେ ଦେଶର ଅନେକ ଶିଶୁଶ୍ରମିକ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ଅନୁଦାନ ଅଭାବରୁ ବନ୍ଦ ହୋଇଗଲା, ଯାହାର ଶିକାର ହେଲେ ଲକ୍ଷାଧିକ ଶିଶୁଶ୍ରମିକ ଓ ସେମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ଦ୍ୱାରା ନିୟୋଜିତ ହୋଇଥିବା ହଜାର ହଜାର କର୍ମଚାରୀ। ପେନ୍‌ସିଲ ପୋର୍ଟାଲରେ ପ୍ରଦର୍ଶିତ ତଥ୍ୟକୁ ଅନୁଧ୍ୟାନକଲେ ପୋର୍ଟାଲର ପରିଚାଳନା କେତେ ଉପଯୋଗୀ ତାହା ଜଣାପଡ଼େ। ପୋର୍ଟାଲରେ ପ୍ରଦର୍ଶିତ ତଥ୍ୟ ଅନୁଯାୟୀ ପୋର୍ଟାଲ ଆରମ୍ଭ ହେଲା ଦିନ ଠାରୁ ୨୦୨୨ ନଭେମ୍ବର ୧୭ ପର୍ଯ୍ୟନ୍ତ ୬୨ ମାସ ମଧ୍ୟରେ ଆମ ଦେଶରେ ମାତ୍ର ୧,୯୭,୩୬୫ (୦.୦୫%) ଜଣ ଶିଶୁ ଚିହ୍ନଟ ହୋଇଛନ୍ତି। ନଭେମ୍ବର ୨୭ରେ ତଥ୍ୟ ଦେଖିଲେ ସେହି ସଂଖ୍ୟା ବୃଦ୍ଧି ପାଇ ୧,୯୭,୩୯୧ (+୭୪) ରେ ପହଞ୍ଚତ୍ଛି। ତା’ହେଲେ କ’ଣ ପୋର୍ଟାଲ ଆରମ୍ଭ ହେଲା ଦିନଠାରୁ ଚଳିତ ବର୍ଷ ନଭେମ୍ବର ୧୭ପର୍ଯ୍ୟନ୍ତ ଏତେବଡ଼ ଦେଶରେ ଦୈନିକ ହାରାହାରି ୧୦୫ ଜଣ ଶିଶୁ ଚିହ୍ନଟ ହୋଇଥିଲା ବେଳେ ନଭେମ୍ବର ୧୭ ରୁ ୨୭ତାରିଖ ଭିତରେ ସାରା ଦେଶରେ ଦୈନିକ ହାରାହାରି ୭ଜଣ ଶିଶୁ ଚିହ୍ନଟ ହୋଇପାରିଛନ୍ତି? ସରକାରଙ୍କ ମତରେ ଯଦି ଶିଶୁଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଏହି ପୋର୍ଟାଲ ହିଁ ଏକମାତ୍ର ମାଧ୍ୟମ ଓ ସମଗ୍ର ଦେଶରେ ୧୮୮୦ ଦିନ ମଧ୍ୟରେ ମାତ୍ର ୦.୦୫ % ଶିଶୁ ଚିହ୍ନଟ ହେଲେ ତା’ହେଲେ କ’ଣ ଆମ ଦେଶ ଶିଶୁଶ୍ରମିକ ମୁକ୍ତ ହୋଇଗଲା ନା ଏହି ପୋର୍ଟାଲର ଅପାରଗତା ବୋଲି ଆମେ କହିବା ? ସେହିପରି ଦେଶରେ ୭୬୩ ରାଜସ୍ବ ଜିଲା ଥିଲାବେଳେ ପେନ୍‌ସିଲ ପୋର୍ଟାଲର ତଥ୍ୟ ଅନୁସାରେ ଗତ ୬୨ ମାସରେ ମାତ୍ର ୬୨୦ ଜିଲାରେ ଜିଲା ନୋଡାଲ ଅଧିକାରୀ ନିଯୁକ୍ତ ହୋଇପାରିଛନ୍ତି। ତା’ହେଲେ ଅବଶିଷ୍ଟ ୧୪୩ ଜିଲାର ଶିଶୁମାନଙ୍କର ଭବିଷ୍ୟତ କାହା ହାତରେ ? ଏହି ପୋର୍ଟାଲର ପ୍ରଚଳନ ସରକାରଙ୍କ ଏକ ସୁନ୍ଦର ଯୋଜନା। କିନ୍ତୁ ଏହାକୁ ଶତ ପ୍ରତିଶତ ଉପଯୋଗୀ କରିବା ନିମନ୍ତେ ପ୍ରଥମେ ଦେଶର ସମସ୍ତ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାର ବ୍ୟବସ୍ଥା କରିବାକୁ ହେବ। ଦ୍ୱିତୀୟରେ ଏହାକୁ ବ୍ୟବହାର କରିବା ପାଇଁ ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଦେବାକୁ ହେବ। ଜନସାଧାରଣରେ ଏହାର ବ୍ୟବହାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପଡିବ।
ଗତ ବଜେଟ ଅଭିଭାଷଣ ସମୟରେ ଦେଶର ଅର୍ଥମନ୍ତ୍ରୀ ସଂସଦ ରେ ଘୋଷଣାକଲେ ଯେ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ସାରା ଦେଶରେ କାର୍ଯ୍ୟ କରୁଥିବା ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପକୁ ବନ୍ଦ ନ କରି ସମଗ୍ର ଶିକ୍ଷା ଅଭିଯାନ (ଶିକ୍ଷା ମନ୍ତ୍ରଣାଳୟ)ରେ ୨୦୨୧ ମାର୍ଚ୍ଚ ୩୧ରୁ ମିଶ୍ରଣ କରାଗଲା। ପ୍ରଶ୍ନ ଉଠୁଛି, ଯଦି ସରକାରଙ୍କ ଗୋଟିଏ ମନ୍ତ୍ରଣାଳୟ ଶିଶୁଶ୍ରମିକଙ୍କ ପାଇଁ ୧୯୮୮ ରୁ ଦେଶରେ ସୁଚାରୁରୂପେ କାର୍ଯ୍ୟ କରିଆସୁଥିଲା ତା’ହେଲେ କାହା ସ୍ବାର୍ଥରେ ଓ କ’ଣ ପାଇଁ ସେହି ମନ୍ତ୍ରଣାଳୟଠାରୁ ଦାୟିତ୍ୱ ଅପସାରଣ କରି ଶିକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରାଗଲା। ଏହା ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ଅପାରଗତା ଥିଲା କି ସରକାରଙ୍କ ଶିଶୁଶ୍ରମିକ ମାରଣ ଯୋଜନା ଥିଲା ? ଏହି ଘୋଷଣା ପରେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପର କଥା ଆଉ ନ ବୁଝି ହାତ ଟେକି ବସିଗଲା ସତ, କିନ୍ତୁ ପରିତାପର ବିଷୟ ଯେ ବଜେଟ ଘୋଷଣା ହେବାର ୧ବର୍ଷ ବିତିବାକୁ ଥିଲା ବେଳେ ଶିଶୁଶ୍ରମିକ ପ୍ରସଙ୍ଗକୁ ସରକାର ଅଣଦେଖା କରିବା ସହିତ ଏଯାବତ୍‌ ସମଗ୍ର ଶିକ୍ଷା ଅଭିଯାନକୁ ମଧ୍ୟ ଦାୟିତ୍ୱ ହସ୍ତାନ୍ତର କଲେ ନାହିଁ। ପେନ୍‌ସିଲ ପୋର୍ଟାଲ ମାଧ୍ୟମରେ ସବୁ ଦାୟିତ୍ୱ ଦେଇ ସରକାରଙ୍କ ଶିଶୁ ଶ୍ରମିକ ମାରଣ ନୀତି ଓ ରାଜ୍ୟରେ ଶିଶୁଶ୍ରମିକମାନଙ୍କ ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ନ କରି ହାତଟେକିଦେବା ଶିଶୁ ସୁରକ୍ଷା ପାଇଁ କେତେ ଶୁଭଙ୍କର ହେବ ତାହା ପାଠକେ ବିଚାର କରିବେ।

– ଡ. ସମୀର କୁମାର ନନ୍ଦ
ପ୍ରୋଗ୍ରାମ ମ୍ୟାନେଜର, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ, ଭାରତ ସରକାର
ମୋ: ୯୪୩୭୨୧୮୯୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri