ଶିଶୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର,୨୦।୧୨(ସ୍ବ.ପ୍ର.): ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ଶିଶୁ ହତ୍ୟା ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ମନୋଜ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରିକି ୫ ଲକ୍ଷ ଟଙ୍କା ଜରିମାନା ଏବଂ ଅନାଦାୟ କଲେ ଅତିରିକ୍ତ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଧୀନ ଖୁଣ୍ଟାପଶି ଗ୍ରାମରେ ୨୦୧୬ ମାର୍ଚ୍ଚ ୪ରେ ଘରୋଇ ବିବାଦକୁ ନେଇ ମନୋଜ ୬ ବର୍ଷୀୟ ସୁନୀଲ ସାହୁଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ଗାଁ ପାଖ ଠାକୁରାଣୀ ପୋଖରୀରେ ମୃତଦେହ ଫିଙ୍ଗି ଦେଇଥିଲେ। ସୁନୀଲଙ୍କୁ ନ ପାଇ ତାଙ୍କ ବଡବାପା ଗୟାଧର ସାହୁ ହରିଚନ୍ଦନପୁର ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ସେହିଦିନ ଅପରାହ୍ନରେ ସୁନୀଲଙ୍କ ମୃତଦେହ ପୋଖରୀରୁ ଜବତ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଶିଶୁକୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୧୯/୨୦୧୬) ରୁଜୁ କରିଥିଲା। ଘଟଣାର ୪ ଦିନ ପରେ ପୋଲିସ ମନୋଜ ଏବଂ ତାଙ୍କର ବାପା ଯଯାତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୪ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟକୁ ଭିତ୍ତି କରି କୋର୍ଟ ଯଯାତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଅଭିଯୁକ୍ତ ମନୋଜଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଣିଛନ୍ତି। ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାଶ ଏହି ସୂଚନା ଦେଇଛନ୍ତି।