କୂଅରେ ଛୁଆ: ସାରା ରାତି ତାଣ୍ଡବ ରଚିଲେ ହାତୀପଲ

ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗ୍ରାମ ନିକଟସ୍ଥ ଚାକୁଣ୍ଡାପଦା ଅଞ୍ଚଳରେ ଥିବା ଏକ କୂଅ ଭିତରୁ ହାତୀଛୁଆକୁ ଅଗ୍ନିଶମ ଓ ବନବିଭାଗ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଶନିବାର ରାତିରେ ଚାକୁଣ୍ଡାପଦା ଗ୍ରାମର ଏକ ଉନ୍ମୁକ୍ତ କୂଅରେ ହାତୀଛୁଆ ପଡିଯିବାପରେ ରାତିତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଥିଲେ। ଏହି ଅଞ୍ଚଳରେ ଏକ ୧୪ଟିକିଆ ହାତୀପଲ କିଛିଦିନଧରି ବିଚରଣ କରୁଥିବା ବେଳେ ସବୁଦିନଭଳି ଶନିବାର ମଧ୍ୟ୍ୟ ଖାଦ୍ୟ ଅନ୍ବେଷଣରେ ହାତୀପଲ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ। ତେବେ ଗ୍ରାମର ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ ଉନ୍ମୁକ୍ତ କୂଅରେ ୬ମାସର ହାତୀଛୁଆ ପଡିଯାଇଥିଲା । ଛୁଆକୁ ନପାଇ ହାତୀପଲ ଦୌରାତ୍ମ୍ୟ ବଢ଼ିଯାଇଥିଲା। ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ଚିତ୍ରଡାରୁ ଆସିଥିବା ଦୁଇଟି ଟିମ୍‌ ଉପସ୍ଥିତ ରହିଥିଲେ ସୁଦ୍ଧା ହାତୀପଲ କୂଅ ନିକଟକୁ ଯିବାକୁ ଦେଇ ନ ଥିଲେ । ପୁନଶ୍ଚ ହାତୀଛୁଆ କୂଅରେ ପଡିଯିବାପରେ ପୁରା ହାତୀପଲ ଉଗ୍ର ରୂପରେ ଗ୍ରାମର ଭୁଟା ପାତ୍ରଙ୍କ ଘର ସମେତ ଲକ୍ଷ୍ମଣ ମହାନ୍ତ, କାମେଶ୍ୱର ମହାନ୍ତ, ଦଶରଥ ମହାନ୍ତ, ନୀଳକଣ୍ଠ ପାତ୍ର, ଜନନୀ ପାତ୍ର ଏବଂ ବୈକୁଣ୍ଠ ପାତ୍ରଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ସେହିପରି ହାତୀଛୁଆକୁ ଉଦ୍ଧାର କରିବାକୁ ଯାଉଥିବା ବନବିଭାଗକୁ ହାତୀପଲ ଗୋଡ଼ାଇବା ସହିତ ବନବିଭାଗର ଗାଡିକୁ ଆକ୍ରମଣ କରି ରାସ୍ତା ତଳକୁ ଖସାଇ ଦେଇଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ବନବିଭାଗ ଏବଂ ଅଗ୍ନିଶମ ବିଭାଗର  ୧୦ଘଣ୍ଟାର ଅପରେଶନ ପରେ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ,ଏସିଏଫ ରବୀନ୍ଦ୍ର ନାଥ ମହାନ୍ତି, ରେଞ୍ଜର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।