ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର ବିଦେଶୀ ବେହେରାଙ୍କ ଶିଶୁପୁତ୍ର ଶଙ୍କର ବେହେରା (୪)ଙ୍କ ମୃତ୍ୟୁ ପରେ ପୋଲିସକୁ ଆଙ୍ଗୁଠି ଦେଖାଇବା ସହ କ୍ଷତିପୂରଣ ଦାବିରେ ବ୍ରହ୍ମପୁର–ପୁରୁଷୋତ୍ତମପୁର ମୁଖ୍ୟରାସ୍ତା ଅବରୋଧ କରି ଟାୟାର ଜାଳି ଆନ୍ଦୋଳନ କରିଛନ୍ତି ଲୋକେ । ଦୁର୍ଘଟଣା ପରେ ଗାଡ଼ିକୁ ବୋଝେଇ ଅବସ୍ଥାରେ ପୋଲିସ ଜବତ କରି ଥାନାକୁ ଆଣିବା ପରିବର୍ତ୍ତେ ଗାଡ଼ିରେ ଥିବା ଜିନିଷ ଦୋକାନରେ ଓହ୍ଲାଇବାଲାଗି ଛାଡି ଦେଇଥିବାର ନେଇ ଲୋକେ ଅଭିଯୋଗ କରିଛନ୍ତି ।

ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଯେପରି ଅବସ୍ଥାରେ ଜବତ କରାଯାଉଥିଲା, ଏହି ଘଟଣାରେ ତାହା କାହିଁକି ହେଲାନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଘଟଣା ସମ୍ପର୍କରେ ଆଇଆଇସି କୁଳମଣି ସେଠୀ କହିଛନ୍ତି ଯେ, ସେ ପାଟ୍ରୋଲିଂରେ ବାହାରେ ଥିବାବେଳେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଆସିବାବେଳକୁ ଗାଡ଼ିରୁ ଜିନିଷ ଓହ୍ଲାଇ ଗାଡ଼ିଟି ଥାନାକୁ ଆସିସାରିଥିଲା। ଥାନାରୁ ଗାଡ଼ିକୁ ଛଡ଼ାଯାଇନାହିଁ। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ଖବର ପାଇ ତହସିଲଦାର ବିନୋଦ କୁମାର ବେହେରା ଓ ଏସ୍‌ଡିପିଓ ସୁଜିତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।
ସୂଚନା ଯୋଗ୍ଯଯେ ଓଡି-୦୭-ଏଏକ୍ସ-୭୨୩୩ ନମ୍ବରର ମେକ୍ସପିକଅପ୍‌ଟି ବ୍ରହ୍ମପୁର ପଟୁ ପୁରୁଷୋତ୍ତମପୁର ସହର ଅଭିମୁଖେ ଆସୁଥିଲା। ଶଙ୍କର ଘର ନିକଟରେ ଖେଳୁଥିବାବେଳେ ହଠାତ୍‌ ଗାଡ଼ି ଆଗକୁ ଚାଲିଆସିବାରୁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

 

Dharitri – Odisha’s No.1 Odia Daily

Share