ମୋହନା, ୧୯।୧୦ (ମନ୍ମଥ ମିଶ୍ର): ଅଫୁଟା ବାଣ ଫୁଟାଇବା ବେଳେ ଅଘଟଣ ଘଟି ଜଣେ ୮ ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତ ଶିଶୁଙ୍କୁ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗଜପତି ଜିଲାର ବୁଡ଼ଲି ଗାଁର ସଞ୍ଜୟ ପାଇକଙ୍କ ପୁଅ ଚିକୁ ପାଇକ (୮) ଦ୍ୱିତୀୟ ଶ୍ରେଣୀର ଛାତ୍ର। ସ୍କୁଲ ଛୁଟି ଥିବାରୁ ସେ ନିଜ ଦାଦାଙ୍କ ଘର ଲୁହାଗୁଡ଼ି ଗାଁକୁ ବୁଲିବାକୁ ଯାଇଥିଲେ।
ଲୁହାଗୁଡ଼ି ଗାଁରେ ଦଶହରା ଅବସରରେ ପୌରାଣିକ ନାଟକ ‘ରାମାୟଣ’ ପରିବେଷଣ ଚାଲିଥିଲା। ଏହି ସମୟରେ ଚିକୁ କିଛି ଅଫୁଟା ବାଣ ଏକାଠି କରି ତାହାର ବାରୁଦ ଫୁଟାଇବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ବାଣ ଜଳିଯାଇଥିଲା। ଫଳରେ ତାଙ୍କ ମୁହଁ ସହ ବାମ ଓ ଡାହାଣ ହାତର ପାପୁଲିର ଅଧିକାଂଶ ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି।
ଘଟଣା ପରେ ପରିବାର ଲୋକେ ଏକ ଅଟୋ ଯୋଗେ ଚିକୁଙ୍କୁ ମୋହନା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ନିଶିକାନ୍ତ ମହାପାତ୍ର ଶିଶୁଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। ଆଘାତ ଗୁରୁତର ହୋଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।