ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ ମନୋଜ ମହାନ୍ତ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଗସ୍ତ ସମୟରେ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା, ମୌଳିକ ସୁବିଧାର ସ୍ଥିତି ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ ହୋଇଥିଲେ। ଲୋକଙ୍କ ଅଭିଯୋଗ ଓ ଦାବିଗୁଡ଼ିକୁ ଶୁଣି ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଉପଜିଲାପାଳ ନୀଳମାଧବ ସୁନା କହିଥିଲେ, “ଗାଁର ମାଟିର ସୁଗନ୍ଧରେ ରହିଛି ଲୋକଙ୍କ ବିଶ୍ୱାସ। ସେହି ବିଶ୍ୱାସକୁ ସମ୍ମାନ ଦେବା, ସେମାନଙ୍କ କଥା ଶୁଣିବା ଏବଂ ସେବା କରିବା ହିଁ ଆମର କର୍ତ୍ତବ୍ୟ। ଲୋକଙ୍କ ହସ ହିଁ ପ୍ରଶାସନର ସବୁଠୁ ବଡ଼ ସଫଳତା।”
ସେ ଆହୁରି କହିଥିଲେ ଯେ, ଦୁର୍ଗମ ଅଞ୍ଚଳରେ ମଧ୍ୟ ସରକାରୀ ସେବା ସୁନିଶ୍ଚିତ କରିବା, ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ପାଇଁ ପ୍ରଶାସନ ସଦା ତତ୍ପର ରହିଛି।
ଗ୍ରାମବାସୀମାନେ ମଧ୍ୟ ଉପଜିଲାପାଳଙ୍କ ଏହି ଗସ୍ତକୁ ସ୍ୱାଗତ କରିବା ସହ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ପ୍ରଶାସନ ପକ୍ଷରୁ ସମସ୍ୟାଗୁଡ଼ିକର ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି।