କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ୮ଲକ୍ଷ କେନ୍ଦୁପତ୍ର ତୋଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟ ଓ ଅତି ଗରିବ ଶ୍ରେଣୀର ରହିଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକେ ସେମାନଙ୍କ ଅଧିକାର ଅନୁସାରେ କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। କେନ୍ଦୁପତ୍ର କିଣାବିକା ପାଇଁ ସେମାନଙ୍କ ଅଧିକାର ରହିଛି। କିନ୍ତୁ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବା ଦ୍ୱାରା କେନ୍ଦୁପତ୍ର ତୋଳାଳିମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେମାନଙ୍କ ଜୀବନଜୀବିକା ଉପରେ ଅଧିକ ପ୍ରଭାବ ପଡୁଛି। ତେଣୁ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ସମ୍ପ୍ରଦାୟର ଜୀବନଜୀବିକାକୁ ଗୁରୁତ୍ୱ ଦେଇ କେନ୍ଦୁପତ୍ରରେ ଉପରେ ଲାଗିଥିବା ୧୮ ପ୍ରତିଶତ ଜିଏସ୍‌ଟିକୁ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଅନେକ କେନ୍ଦୁପତ୍ର ତୋଳାଳି ଲାଭବାନ ହେବେ ବୋଲି ସେ କହିଛନ୍ତି।