Categories: ଖେଳ

ଓଏଫ୍‌ସିକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଫୁଟବଲ୍‌ କ୍ଲବ୍‌(ଓଏଫ୍‌ସି) ଦଳ ସୁପର୍‌ କପ୍‌ ୨୦୨୩ ଚାମ୍ପିୟନ ହୋଇ ଏହାର ପ୍ରଥମ ଜାତୀୟ ଟାଇଟଲ୍‌ ହାସଲ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସୁପର୍‌ କପ୍‌ ଚାମ୍ପିୟନ୍‌ ତଥା ଏଏଫ୍‌ସି କପ୍‌ ପାଇଁ ଯୋଗ୍ୟତା ହାସଲ କରିଥିବା ଓଏଫ୍‌ସିକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଏଫ୍‌ସି ପକ୍ଷରୁ କ୍ଲବ୍‌ ସଭାପତି ରାଜ ଅଠଓ୍ବାଲ, ମୁଖ୍ୟ କୋଚ୍‌ କ୍ଲିଫୋର୍ଡ ମିରାଣ୍ଡା, ଗୋଲକିପର ଅମରିନ୍ଦର ସିଂ, ଡିଫେଣ୍ଡର ଶୁଭମ୍‌ ଷଡଙ୍ଗୀ, ଜେନେରାଲ ମ୍ୟାନେଜର ଅଭିକ୍‌ ଚାଟାର୍ଜୀ ଓ କ୍ଲବ୍‌ ମନସ୍ତତ୍ତ୍ୱବିତ୍‌ ଅମ୍ରିତ୍‌ ପାଟ୍ଟଯୋଶୀ ସୁପର୍‌ କପ୍‌ ଟ୍ରଫି ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଓଏଫ୍‌ସିର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ। କୋଚ୍‌ ଓ ଖେଳାଳି ଆମକୁ ଗର୍ବିତ କରିଛନ୍ତି ଏବଂ ଓଏଫ୍‌ସି ଆଗକୁ ମଧ୍ୟ ଏମିତି ଫର୍ମ ବଜାୟ ରଖିବା ସହିତ ଆଗକୁ ଅନେକ ଟ୍ରଫି ଜିତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଓଏଫ୍‌ସି ସୁପର କପ୍‌ ଟ୍ରଫି ସହିତ ଖେଳ ପ୍ରତି ଥିବା ଦୃଢ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଅନନ୍ୟ ପ୍ରଦର୍ଶନ ଓ ଯୋଗଦାନ ପାଇଁ ସେ ଦଳର ସମସ୍ତ ଖେଳାଳିଙ୍କୁ ପ୍ରଶଂସା କରିଥିଲେ। କ୍ରୀଡା ପ୍ରତି ଓଡ଼ିଶା ସରକାରଙ୍କ ମନୋଭାବକୁ ପ୍ରଶଂସା କରିଥିଲେ ଓଏଫ୍‌ସି କ୍ଲବ୍‌ ସଭାପତି ରାଜ ଅଠଓ୍ବାଲ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ରାଜ୍ୟ ସରକାର ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ସୁବିଧା ତିଆରି କରିବାରେ ସମର୍ଥ ହୋଇଥିବା ସେ କହିଛନ୍ତି। ଓଏଫ୍‌ସିକୁ ସହାୟତା କରିବା ସହିତ ରାଜ୍ୟରେ ଏକ ଫୁଟବଲ ଇକୋ ସିଷ୍ଟମ ତିଆରି କରିଥିବାରୁ କ୍ଲବ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Share