୨୭ରେ ସମଲେଇ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୯।୧(ପ୍ରମୋଦ ବହିଦାର): ସମ୍ବଲପୁରରେ ଚାଲିଥିବା ସମଲେଇ ପ୍ରକଳ୍ପ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଉଦ୍‌ଘାଟନ କରିବେ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସମଲେଇ ପ୍ରକଳ୍ପ ଅନ୍ତର୍ଗତ ମା’ ସମଲେଶ୍ୱରୀ ମନ୍ଦିର ରୂପାନ୍ତିକରଣର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି। ତେବେ ଆସନ୍ତା ଜାନୁଆରୀ ୨୭ ତାରିଖ ମାଘ କୁଷ୍ଣପକ୍ଷ ଦ୍ୱିତୀୟା ତିଥିରେ ପ୍ରକଳ୍ପର ଲୋକାର୍ପଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ତେଣୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଏହାର ଉଦ୍‌ଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନିମନ୍ତ୍ରଣ କରାଯାଇଛି।

ଏହି ଭବ୍ୟ ଉଦ୍‌ଘାଟନୀ ସମାରୋହରେ ଯୋଗଦେବାକୁ ଉଭୟ ମୁଖ୍ୟମନ୍ତ୍ରୀ ଓ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ସଦୟ ସ୍ବୀକୃତୀ ଦେଇଛନ୍ତି। ସେ ଆହୁରି କହିଛନ୍ତି ଏହି ଉତ୍ସବ ୪/୫ ଦିନ ଧରି ଚାଲିବାକୁ ଥିବାବେଳେ ଲୋକାର୍ପଣ ଦିନଠାରୁ ମହାନଦୀ ଆଳତୀ ଶୁଭାରମ୍ଭ ହେବ। ଏଥିରେ ଯୋଗ ଦେବାକୁ ରାଜ୍ୟର ବିଭିନ୍ନ ଦେବଦେବୀ ପୀଠଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସେହିପରି ଭବ୍ୟ ଲୋକାର୍ପଣ ଉତ୍ସବରେ ବିଶେଷ କରି ସମଗ୍ର ପଶ୍ଚିମ ଓଡ଼ିଶାର ଭକ୍ତମାନେ କିଭଳି ସାମିଲ ହୋଇପାରିବେ ସେନେଇ ଉଦ୍ୟମ କରାଯାଉଛି। ଏହି ଭବ୍ୟ ଉତ୍ସବରେ ଲକ୍ଷାଧିକ ଭକ୍ତ ସାମିଲ ହେବାର ସମ୍ଭାବନା ରହିଛି।