ଛତ୍ରପୁର,୨୨।୧୧(ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲା ଗସ୍ତରେ ଆସୁଛନ୍ତି। ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଣମାଧ୍ୟମକୁ ଏନେଇ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଜେନା କହିଛନ୍ତି ଯେ, ଜିଲାରେ ସୃଷ୍ଟି ହୋଇଥିବା ସ୍ଥିତି ସମସ୍ତଙ୍କୁ ଦୋହଲାଇ ଦେଇଛି। ଏହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଗଞ୍ଜାମ ଆସୁଛନ୍ତି। ଇତିମଧ୍ୟରେ କ୍ଷୟକ୍ଷତି ଆକଳନ ଏକ ପ୍ରକାର ଶେଷ ହୋଇଛି। ପ୍ରଭାବିତ ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରାଯିବ। ଏପରିକି ସରକାର ସାଧାରଣ ଲୋକ ଏବଂ ଚାଷୀଙ୍କ ସହିତ ଅଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ପ୍ରଥମେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଏବଂ ବଳରାମପୁର ଅଞ୍ଚଳ ପରିଦର୍ଶନ କରିବେ। ପରେ ସେମାନେ ଛତ୍ରପୁର ଗସ୍ତ କରି ବଉଳଗାଁ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିବେ।
ଦ୍ୱିତୀୟାର୍ଦ୍ଧରେ ବିଧାନସଭା ଅଧିବେଶନ ଚାଲିବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ କରି ପୁନର୍ବାର ବିଧାନସଭାରେ ଯୋଗ ଦେବା ସହ ତାଙ୍କର ଅନ୍ୟାନ୍ୟ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ମନ୍ତ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।