ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍‌ ମୁଖ୍ୟ

ଭୁବନେଶ୍ୱର,୫।୪(ବ୍ୟୁରୋ): ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପ୍ପନ ଷ୍ଟିଲ୍‌କୁ ଆମନ୍ତ୍ରଣ କରିଛନ୍ତି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନିପ୍ପନ ଷ୍ଟିଲ୍‌ କର୍ପୋରେଶନର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋତୋଙ୍କ ସହ ନବୀନ ମଙ୍ଗଳବାର ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଛନ୍ତି। ନିପ୍ପନ ଷ୍ଟିଲ୍‌ ଓଡ଼ିଶାରେ ୩୦ ନିୟୁତ ପାଉଣ୍ଡର ପୁଞ୍ଜି ନିବେଶ କରିବ ବୋଲି କମ୍ପାନୀର ମୁଖ୍ୟ ଇଜି ହାସିମୋତୋ ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଛନ୍ତି। ଜାପାନ ଗସ୍ତରେ
ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ
ଭବ୍ୟ ସ୍ବାଗତ କରାଯାଇଛି। ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ଶିବି
ଜର୍ଜ ଓ ଦୂତାବାସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ନବୀନଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଜାପାନ ଗସ୍ତରେ ଅଛନ୍ତି। ଏଥିସହ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରିଷ୍ଣା ଗସ୍ତରେ ସାମିଲ ହୋଇଛନ୍ତି।
ବୁଧବାର ଓଡ଼ିଶା ବିଜ୍‌ନେସ ମିଟ୍‌କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍‌ ଭଳି ଦୁଇଟି ବୃହତ୍‌ କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ କରିଛନ୍ତି। ନିପ୍ପନ ଷ୍ଟିଲ୍‌ କେନ୍ଦ୍ରାପଡ଼ାରେ ୨୪ ନିୟୁତ ଟନ୍‌ ଇସ୍ପାତ ପ୍ଲାଣ୍ଟ ସ୍ଥାପନ କରିବ। ସେହିପରି ଏଏମ୍‌ଏନ୍‌ଏସ୍‌ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯୋଜନା କରୁଛି।