ଭୁବନେଶ୍ୱର,୧୬ା୧୦(ତପନ ସ୍ବାଇଁ):ଜାପାନରେ ଅନୁଷ୍ଠିତ ଏସିଆନ୍ ଗେମ୍ସ-୨୦୨୬ରେ ସ୍ବର୍ଣ୍ଣ ପଦକ ହାସଲ କରି ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପୁରୁଷ ଓ ମହିଳା ହକି ଦଳର ସମସ୍ତ ଖେଳାଳି ଯୁବବର୍ଗର ପ୍ରକୃତ ଆଇକନ୍। କବି ସଚ୍ଚି ରାଉତରାୟଙ୍କ କବିତାକୁ ଉଦ୍ଧାର କରି ସେ କହିଛନ୍ତି, ପ୍ରତିଭାବାନ୍ ବ୍ୟକ୍ତି ଯେଉଁ ମାଟିରେ ଜନ୍ମ ନିଅନ୍ତି, ସେ ମାଟି ନିଶ୍ଚିତ ବିଶ୍ୱପ୍ରସିଦ୍ଧି ଅର୍ଜନ କରିଥାଏ। ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ହକି ଖେଳାଳିମାନେ ସମଗ୍ର ଯୁବ ସମାଜର ଆଦର୍ଶ ତଥା ଭାରତର ଗର୍ବ ଓ ଗୌରବ। ୪୪ ବର୍ଷର ଦୀର୍ଘ ବ୍ୟବଧାନ ପରେ ମହିଳା ଦଳର ଏହି ସ୍ବର୍ଣ୍ଣ ବିଜୟ ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କରିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏ ଏବଂ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ଦିଆଯାଇଛି। ଉଭୟ ପୁରୁଷ ଓ ମହିଳା ଦଳଙ୍କୁ ଓଡ଼ିଶା ପକ୍ଷରୁ ୫.୬୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ଏହାସହିତ ଭାରତୀୟ ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସ, ଶୀଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ ସ୍ବତନ୍ତ୍ର ଭାବେ ୨୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ସୁନ୍ଦରଗଡ଼ ଜିଲାରୁ ଆସିଥିବା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋ ନିଜର ଅଦମ୍ୟ ପ୍ରତିଭା ଓ ପରିଶ୍ରମ ବଳରେ ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ତେବେ ଓଡ଼ିଶା ସରକାର ଜାତୀୟ ହକି ଦଳର ଅଫିସିଆଲ୍ ସ୍ପନ୍ସର ଭାବେ ନିଜର ପ୍ରତିବଦ୍ଧତାକୁ ଆଗକୁ ମଧ୍ୟ ଜାରି ରଖିବେ। ୨୦୩୬ ଅଲିମ୍ପିକ୍ସ ଗେମ୍ସକୁ ଭାରତରେ କରିବା ପାଇଁ ପ୍ରସ୍ତାବ ରହିଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ, ଓଡ଼ିଶାରେ ନିଶ୍ଚିତ ଭାବରେ ହକି ଇଭେଣ୍ଟ ଆୟୋଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପୋଷଣ କରିଛନ୍ତି। ସଲିମା ଟେଟେ ଏବଂ ହରମନପ୍ରୀତ ସିଂଙ୍କ ଅସାଧାରଣ ନେତୃତ୍ୱକୁ ସେ ବହୁତ ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାର କେବଳ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିକୁ ସୀମିତ ନ ରଖି ବ୍ଲକ୍ ସ୍ତରରେ ୪,୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ଗୋଠପାଟଣାରେ ନିର୍ମିତ ହେବାକୁ ଥିବା ୧,୦୦୦ କୋଟି ଟଙ୍କାର ଗ୍ଲୋବାଲ୍ ସ୍ପୋଟର୍ସ କମ୍ପ୍ଲେକ୍ସ ଏବଂ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୨୦୨୮ ୱାଲର୍ଡ ଇନ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ ଓଡ଼ିଶାକୁ ବିଶ୍ୱର ପ୍ରମୁଖ ସ୍ପୋର୍ଟିଂ ହବ୍ରେ ପରିଣତ କରିବ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଓଡ଼ିଶାରେ ହକି କେବଳ ଗୋଟିଏ ଖେଳ ନୁହେଁ, ଏହା ହେଉଛି ଆମର ଆବେଗ ଏବଂ ଅସ୍ମିତାର ପ୍ରତୀକ। ଓଡ଼ିଆ ପୁଅ ଅମିତ ରୋହିଦାସ, ଶୀଳାନନ୍ଦ ଲାକ୍ରା ଏବଂ ସୁନାଝିଅ ସୁନେଲିତା ଟପ୍ପୋଙ୍କ ଆଶାତୀତ ପ୍ରଦର୍ଶନ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ହଜାର ହଜାର ଯୁବ କ୍ରୀଡ଼ାବିତ୍ଙ୍କୁ ସ୍ବପ୍ନ ଦେଖିବାକୁ ଏବଂ ଆନ୍ତର୍ଜାତିକ ମଞ୍ଚରେ ନିଜକୁ ପ୍ରତିପାଦିତ କରିବାକୁ ଅପୂର୍ବ ପ୍ରେରଣା ଯୋଗାଇବ।
ଏହି ଉତ୍ସବରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ସମ୍ପାଦକ ଭୋଳାନାଥ ସିଂ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କ୍ରୀଡ଼ା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।