କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବକ୍ତବ୍ୟରେ କହିଛନ୍ତି। ଏଥିସହ ସରକାର ଗଠନ ପରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଗତ ଦେଢ଼ ବର୍ଷରେ ପ୍ରାୟ ୨୦ ହଜାର ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ୪୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଜାରି ରହିଛି। ଏଥିସହ ୧୩ ହଜାର ସ୍କିମାଟିକ ଶିକ୍ଷକଙ୍କୁ ନିୟମିତ କରାଯାଇଛି ବୋଲି ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ।
ଆହୁରି କହିଥିଲେ, ୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୯୯୭ କୋଟି ଟଙ୍କାରୁ ଅଧିକ ପ୍ରାବଧାନ ରଖାଯାଇଛି, ଯାହା ମୋଟ ବଜେଟର ୧୦.୩ ପ୍ରତିଶତ। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ କରି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନପାଇଁ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୨,୨୦୦ ପଞ୍ଚାୟତରେ ଏହାର କାମ ଆରମ୍ଭ ହୋଇଛି ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୋଦାପଳାସାସ୍ଥିତ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୩ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବା ବେଳେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ପାଇଁ ୭ କୋଟି ଟଙ୍କା ଓ ୭ ଏକର ଜମି ଯୋଗାଣ ସମ୍ବନ୍ଧରେ ମଧ୍ୟ ଘୋଷଣା କରାଯାଇଛି। ପିଏମ୍ଶ୍ରୀ ଯୋଜନାରେ ରାଜ୍ୟର ୮୦୦ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯାଉଥିବା ସହ ନିପୁଣ ଓଡ଼ିଶା ମିଶନ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିକାଶ ଉପରେ ଜୋର ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଫକିର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, କେନ୍ଦୁଝର ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ ନୀଳାମ୍ବର ମହାନ୍ତ ସ୍ବାଗତ ଭାଷଣ ଦେଇଥିବା ବେଳେ ସାମାଜିକକର୍ମୀ ଜଗନ୍ନାଥ ସିଂହ ଧନ୍ୟବାଦ ଜଣାଇଥିଲେ।
କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ କରିଛନ୍ତି। ପ୍ରଥମେ କେନ୍ଦୁଝର ସଦର ବ୍ଲକ୍ ବୋଦାପଳସା ଗ୍ରାମରେ ଅରଡେଇ ନାଳ ଉପରେ ନିର୍ମାଣ ହୋଇଥିବା ପୋଲକୁ ଉଦ୍ଘାଟନ କରିଥିଲେ। ପରେ ଘଟଗଁା ବ୍ଲକ୍ ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମଠାରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ନବନିର୍ମିତ ଅଣ୍ଡରପାସ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ।
Dharitri – Odisha’s No.1 Odia Daily

