Categories: ଜାତୀୟ

କ୍ୟାବିନେଟ୍‌ ସହ ଉପରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ବିବାଦ ମଧ୍ୟରେ ସାକ୍ସେନା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଅପରାହ୍ନ ୪ଟାରେ ଭେଟିବାକୁ ସମୟ ଦେଇଛନ୍ତି। ଉପରାଜ୍ୟପାଳ କହିଛନ୍ତି, ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍‌ ମନ୍ତ୍ରୀ କିମ୍ବା ୧୦ ଜଣ ବିଧାୟକଙ୍କୁ ନେଇ ଭେଟିବା ପାଇଁ ଆସିପାରିବେ। ଏନେଇ ଗୁରୁବାର ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କ ସହ ଉପରାଜ୍ୟପାଳଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ। ହେଲେ ସାକ୍ସେନାଙ୍କ କହିବାନୁଯାୟୀ, ତାଙ୍କ ପାଖେ ହଠାତ୍‌ ୭୦-୮୦ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ଏଥି ଯୋଗୁ ସେ ସାକ୍ଷାତ କରିପାରି ନ ଥିଲେ। ଏହାପରେ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣିଥରେ ସାକ୍ଷାତ କରିବାକୁ ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀ ସରକାରୀ ସ୍କୁଲ ଶିକ୍ଷକମାନଙ୍କୁ ଫିନଲ୍ୟାଣ୍ଡରେ ତାଲିମ ପ୍ରସ୍ତାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଏଏପି ବିଧାୟକ ଉପରାଜ୍ୟପାଳଙ୍କୁ ଭେଟିବାକୁ ଚାହୁଁଛନ୍ତି।

Share