Categories: Home Leftଖେଳ

ହକି ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି।

ସ୍ବର୍ଣ୍ଣ ପଦକ ଜିତିବା ଦ୍ୱାରା ଉଭୟ ମହିଳା ଓ ପୁରୁଷ ଦଳ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଦେଶକୁ ଗର୍ବିତ କରିଥିବାରୁ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ସମସ୍ତ ଖେଳାଳିଙ୍କୁ ହୃଦୟଭରା ଅଭିନନ୍ଦନ। ଜାପାନରେ ତ୍ରିରଙ୍ଗା ଉଡ଼ିବା ସହ ଆପଣମାନଙ୍କ ସହ ଆମ ମନ ମଧ୍ୟ ଖୁସିରେ ଝୁମି ଉଠିଥିଲା। ଦେଢ଼ଶହ କୋଟି ଭାରତୀୟଙ୍କ ସମର୍ଥନ ଏବଂ ଈଶ୍ୱରଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିଥିଲା।

ଆମ ଝିଅମାନେ ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ପ୍ରମାଣିତ କରିଛନ୍ତି। ଭାରତୀୟ ହକିକୁ ଓଡ଼ିଶାର ସମର୍ଥନ ଜାରି ରହିବ। ଆହୁରି ଅଧିକରୁ ଅଧିକ ପଦକ ଜିତି ଦେଶକୁ ଗୌରବାନ୍ବିତ କରନ୍ତୁ। ୨୦୨୮ ଅଲିମ୍ପିକ୍ସରେ ଆପଣମାନେ ସ୍ବର୍ଣ୍ଣ ପଦକ ଜିତନ୍ତୁ ବୋଲି ଆମେ ଆଶା କରୁଛୁ। ୨୦୨୪ ଅଲିମ୍ପିକ୍ସରେ ଆପଣମାନେ ବ୍ରୋଞ୍ଜ ପଦକ ଜିତିଥିଲେ। ମାତ୍ର ଆଗକୁ ସ୍ବର୍ଣ୍ଣ ଜିତିବାନେଇ ମୋର ପୂର୍ଣ୍ଣ ଆଶା ରହିଛି। ୪୪ ବର୍ଷ ପରେ ଭାରତୀୟ ମହିଳା ଦଳ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ଏକ ଐତିହାସିକ କ୍ଷଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଭାରତୀୟ ଦଳର ଡବଲ ସ୍ବର୍ଣ୍ଣ ବିଜୟରେ ଓଡ଼ିଶାର ଅବଦାନ ରହିଛି। ତେଣୁ ଓଡ଼ିଆ ଭାବରେ ଆମର ଖୁସି ଆକାଶ ଛୁଇଁଛି। ଅମିତ ରୋହିଦାସ, ଶୀଳାନନ୍ଦ ଲାକ୍ରା ଓ ସୁନେଲିତା ଟପ୍ପୋ ଏହି ସୁନେଲି ଯାତ୍ରାର ଏକ ମାଇଲଖୁଣ୍ଟ। ଆପଣମାନେ ଆମକୁ ଗର୍ବିତ କରିଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ସମ୍ପାଦକ ଭୋଳାନାଥ ସିଂ, କ୍ରୀଡ଼ା ସଚିବ ଭୁପେନ୍ଦ୍ର ସିଂ ପୁନିଆ, ନିର୍ଦ୍ଦେଶକ ୟେଦୁଲା ବିଜୟ ପ୍ରମୁଖ ଉପସ୍ଥିତ ଥିଲେ।

Share