Categories: ଜାତୀୟ

ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଘୋଷଣା

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ଆଖପାଖରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେଜ୍‌ରିୱାଲ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ କହିଛନ୍ତି। ସେ କହିଛନ୍ତି, ଏବେ ରାଜନୀତି କରିବାର ସମୟ ନୁହେଁ କିମ୍ବା ନଡ଼ା ଜାଳିବା ପାଇଁ କୃଷକ ଦାୟୀ ନୁହଁନ୍ତି। ଯଦି ପଞ୍ଜାବରେ ନଡା ଜଳୁଛି, ତେବେ ଆମେ ଏଥିପାଇଁ ଦାୟୀ, କାରଣ ଆମ ସରକାର ସେଠାରେ ଅଛି। ଏହି ପ୍ରସଙ୍ଗରେ ଚାଷୀଙ୍କ ସହ ମିଶି ଅନେକ ପଦକ୍ଷେପ ନିଆଯିବ ଏବଂ ଏହାର ଫଳାଫଳ ଆସନ୍ତା ବର୍ଷ ସୁଦ୍ଧା ଦେଖିବାକୁ ମିଳିବ।
ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ପ୍ରଦୂଷଣ ବହୁତ ଅଧିକ ହୋଇଛି। ଲୋକଙ୍କୁ ନିଃଶ୍ୱାସ ନେବା କଷ୍ଟକର ହେଉଛି। ଏହା କେବଳ ଦିଲ୍ଲୀର ନୁହେଁ, ସମଗ୍ର ଉତ୍ତର ଭାରତର ସମସ୍ୟା। ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ୟୁପିର ଅନେକ ସହରରେ ବାୟୁ ବହୁତ ଖରାପ ରହିଛି। ଏଥିପାଇଁ ଅନେକ ସ୍ଥାନୀୟ କାରଣ ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ପଦକ୍ଷେପ ନେବା ଉଚିତ୍‌।
ସୂଚନାଯୋଗ୍ୟ, ଶୀତଋତୁ ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କଲାଣି। ଦୂଷିତ ବାୟୁ ଯୋଗୁ ରାଜଧାନୀରେ କାଶ, ଥଣ୍ଡା, ଆଜ୍‌ମା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ କିଛିଦିନ ହେଲା ରୋଗୀ ସଂଖ୍ୟା ଯଥେଷ୍ଟ ବଢ଼ିଥିବା ଦେଖାଯାଇଛି। ବାୟୁ ପ୍ରଦୂଷଣ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିବାରୁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଲାଗି ଡାକ୍ତର ପରାମର୍ଶ ଦେଉଛନ୍ତି। ଗୁରୁବାର ପୂର୍ବାହ୍ନରେ ଦିଲ୍ଲୀର ମୋଟାମୋଟି ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୨୬ ରହିଥିଲା।

Share