କରୋନା ଯୋଦ୍ଧାଙ୍କ ପାଇଁ ୧ ମିନିଟ୍‌ ନୀରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୮(ବ୍ୟୁରୋ)-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ଲଢେଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିବା ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ। ବୁଧବାର ସା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମଗ୍ର ରାଜ୍ୟବାସୀ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିଛନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ନେତୃତ୍ୱରେ ନୀରବ ପ୍ରାର୍ଥନା କରାଯାଇଛି। ସେହିପରି ଲୋକସେବା ଭବନ, ବିଜେଡି ମୁଖ୍ୟାଳୟରେ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଛି। ନୀରବ ପ୍ରାର୍ଥନା ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଛନ୍ତି।
ଏହି ଶପଥ ପାଠରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିବାସହ ସେମାନଙ୍କ କାର୍ଯ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ ପାଇଁ ସଂକଳ୍ପ ନିଆଯାଇଥିଲା।