Categories: ଜାତୀୟ

୪ ଦିନ ପାଇଁ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୭ା୫: ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରମେଶ ଦେବକୀନନ୍ଦନ ଧନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଆସନ୍ତା ୩୦ରେ ୬୨ ବର୍ଷରେ ପଦାର୍ପଣ କରିବା ସହ ଅବସର ନେବେ। ଅର୍ଥାତ୍‌ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୪ ଦିନ ରହିବ। ଏହାବାଦ୍‌ ବମ୍ବେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ ବିଜୟ କୁମାର ଗଙ୍ଗାପୁରଓ୍ବାଲାଙ୍କୁ ମାଡାସ୍‌ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଥିବା ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଷ୍ଟିସ୍‌ ଜର୍ଜ ମସିହଙ୍କୁ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ମାମିଦାନ୍ନା ସତ୍ୟ ରନତ୍ ଶ୍ରୀରାମଚନ୍ଦ୍ର ରାଓଙ୍କୁ ହିମାଚଳ ପ୍ରଦେଶ ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି। କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଭେଙ୍କଟନାରାୟଣ ଭଟ୍ଟିଙ୍କୁ ସେହି ହାଇକୋର୍ଟରେ ମୁଖ୍ୟ ବିଚାରପତି କରାଯାଇଛି।

Share