କୋରାପୁଟରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୬।୨(ବ୍ୟୁରୋ)/ବୈପାରୀଗୁଡ଼ା(ଡି.ଏନ.ଏ.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜୟପୁରରେ ପହଞ୍ଚିବା ପରେ ସେଠାରୁ ସେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ମନ୍ଦିର ଗସ୍ତ କରିଥିଲେ। ଗୁପ୍ତେଶ୍ବର ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ଦିରର ଉନ୍ନୟନ ଏବଂ ଏହା ପରିସରରେ ଶ୍ରଦ୍ଧାଳୁମାନଙ୍କ ଲାଗି ସର୍ବନିମ୍ନ ସୁବିଧା ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନ୍‌ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ମନ୍ଦିରର ସେବାୟତ ଏବଂ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି। ପୂର୍ବରୁ ଦେଢ଼ କୋଟି ଟଙ୍କା ବ୍ୟୟରେ ମନ୍ଦିରକୁ ଯିବା ନିମନ୍ତେ ପଥର ପାହାଚ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଅଞ୍ଚଳ ଏବଂ ମନ୍ଦିରଠାରୁ ନଦୀପଠା ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ପାଣ୍ଠି ଯୋଗାଇଦେବେ। ରାମଗିରି-ଗୁପ୍ତେଶ୍ବର ରାସ୍ତାର ମଧ୍ୟ ରାଜ୍ୟ ସରକାର ଉନ୍ନତୀକରଣ କରିଥିବା ସେ କହିଛନ୍ତି।