ଭୟଙ୍କର ସ୍ଥିତି: ଚିକେନ କେଜି ୯୦୦, କ୍ଷୀର ଲିଟରକୁ ୨୧୦ ଟଙ୍କା

ଇସଲାମାବାଦ,୧୧ା୩: ପାକିସ୍ତାନରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର। ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ ହୋଇଛି। ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଏତେ ମହଙ୍ଗା ଯେ, ସାଧାରଣ ଲୋକ ପେଟ ପୋଷିବା କଷ୍ଟକର ହୋଇପଡ଼ିଛି। କ୍ଷୀର ଲିଟର ପିଛା ଦାମ୍‌ ୨୧୦ ଟଙ୍କା ରହିଥିବା ବେଳେ ଚିକେନ କେଜି ୯୦୦ ଟଙ୍କାରେ ପହଞ୍ଚିଛି।

ସେହିପରି ଅଣ୍ଡା ଗୋଟାକୁ ୨୧ ଟଙ୍କା ଥିବା ବେଳେ କମଳା କିଲୋ ୧୬୯ ଟଙ୍କା, ଆଳୁ କିଲୋ ୬୬ ଓ ଟମାଟର୍‌ କିଲୋ ୧୨୬ ଟଙ୍କା ରହିଛି। ପାକିସ୍ତାନର ବିଦେଶୀ ଋଣ ୯୭ ବିଲିୟନ ଡଲାରରୁ ଅଧିକ ରହିଛି, ଯେଉଁଥିରେ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ, ବିଭିନ୍ନ ଦେଶ, ବିଦେଶୀ ବାଣିଜି୍ୟକ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ବଣ୍ଡ ବଜାର ରହିଛି। ଏହା ଦେଶର ଜିଡିପିର ୮୦ ପ୍ରତିଶତ ଅଟେ। ପାକିସ୍ତାନ ଏତେ ଋଣଭାରରେ ବୁଡ଼ିଛି ଯେ, ଶେଷରେ ନିଜକୁ ଦେବାଳିଆ ଘୋଷଣା କରିବ ଏଥିରେ ଦ୍ୱିମତ ନାହିଁ।

Share