Categories: ଖେଳ

ଛେତ୍ରୀ, ମନୀଷା ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାରତ ପୁରୁଷ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦ୍ୱାରା ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ସେ ୭ମ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବର୍ଗରେ ମନୀଷା କଲ୍ୟାଣ ପ୍ରଥମ ଥର ୨୦୨୧-୨୨ ସିଜନ ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପୁରସ୍କାର ପାଇଁ ଛେତ୍ରୀ ଓ କଲ୍ୟାଣଙ୍କୁ କୋଚ୍‌ ଇଗୋର ଷ୍ଟିମାକ୍‌ ଓ ଥୋମାସ ଡେନର୍ବି ମନୋନୀତ କରିଛନ୍ତି। ବର୍ତ୍ତମାନ ସକ୍ରିୟ ରହିଥିବା ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ତୃତୀୟ ସର୍ବାଧିକ ଗୋଲ ସ୍କୋରର ବିବେଚିତ ହେଉଛନ୍ତି। ସେ ପ୍ରଥମେ ଏହି ପୁରସ୍କାର ୨୦୦୭ରେ ଜିତିଥିଲେ। ପରେ ସେ ୨୦୧୧, ୨୦୧୩, ୨୦୧୪, ୨୦୧୭, ୨୦୧୮-୧୯ରେ ଏହି ପୁରସ୍କାର ଲାଭ କରିଥିଲେ। ସାଫ୍‌ କପ୍‌ରେ ସୁନୀଲ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ସେ ୫ଟି ଗୋଲ ଦେବା ସହ ଆମର ଟପ୍‌ ସ୍କୋରର ହୋଇଥିଲେ ବୋଲି ଷ୍ଟିମାକ୍‌ କହିଛନ୍ତି। ପୁନଶ୍ଚ କୋଲକାତାରେ ଅନୁଷ୍ଠିତ ଏଏଫ୍‌ସି ଏସିଆନ୍‌ କପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ଖେଳାଯାଇଥିବା ୩ଟି ମ୍ୟାଚରେ ୪ଟି ଗୋଲ ସ୍କୋର କରିଥିଲେ। ଦଳର ଭଲ ଓ ଖରାପ ସମୟରେ ତାଙ୍କ ପ୍ରତିଶ୍ରୁତିବଦ୍ଧତା, ନେତୃତ୍ୱ ଓ କଠିନ ପରିଶ୍ରମ ପ୍ରଭାବଶାଳୀ ରହିଥିଲା। ଅନ୍ୟପକ୍ଷରେ କଲ୍ୟାଣଙ୍କ ପାଇଁ ଏହାହେଉଛି ପ୍ରଥମ ମହିଳା ଫୁଟ୍‌ବଲର ଅଫ୍‌ ଦି ଇୟର ପୁରସ୍କାର। ପୂର୍ବରୁ ସେ ୨୦୨୦-୨୧ ସିଜନରେ ମହିଳା ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଥିଲେ। ମନୀଷାଙ୍କର ଜାତୀୟ ଦଳ ଏବଂ ତାଙ୍କ କ୍ଲବକୁ ଉଲ୍ଲେଖନୀୟ ସହାୟତା କରିଛନ୍ତି। ନିୟମିତ ଗୋଲ ସ୍କୋର କରିବା ସହ ଗୋଲ ଦେବାରେ ଅନ୍ୟ ଖେଳାଳିଙ୍କୁ ସହାୟତା ମଧ୍ୟ କରିଛନ୍ତି। ତାଙ୍କର ଭଲ ସ୍ପିଡ୍‌ ରହିଛି। ସେ ଜଣେ ଉତ୍ତମ ଡ୍ରିବଲର ହୋଇଥିବାରୁ ବଡ଼ ଲିଗ୍‌ରେ ଖେଳିବା ପାଇଁ ସେ ଦକ୍ଷତା ରଖିଛନ୍ତି। କଲ୍ୟାଣ ନିକଟରେ ସାଇପ୍ରସର ଟପ୍‌ ଡିଭିଜନ ବିଜେତା ଆପୋଲନ ଲେଡିଜ୍‌ ସହ ଏକ ବହୁ ବର୍ଷର ଚୁକ୍ତି କରିଛନ୍ତି। ଏହି ଫୁଟ୍‌ବଲ କ୍ଲବ ୨୦୨୨-୨୩ ୟୁଫା ମହିଳା ଚାମ୍ପିୟନଶିପ୍‌ କ୍ୱାଲିଫାଇଂ ରାଉଣ୍ଡରେ ସ୍ଥାନ ପାଇଛି। ଅନ୍ୟ ପୁରସ୍କାର ମଧ୍ୟରେ ମାର୍ଟିନା ଥୋକ୍‌ଚୋମ୍‌ ୨୦୨୧-୨୨ ବର୍ଷ ପାଇଁ ମହିଳା ଇମର୍ଜିଂ ଫୁଟ୍‌ବଲର ଅଫ୍‌ ଇୟର ଏବଂ ବିକ୍ରମ ପ୍ରତାପ ସିଂ ୨୦୨୧-୨୨ ପୁରୁଷ ଇଭର୍ଜିଂ ଫୁଟ୍‌ବଲର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି।

Share