Categories: ଜାତୀୟ

କମିବ ଗ୍ରୀଷ୍ମକାଳୀନ ଛୁଟି

ରାୟପୁର,୨୨।୨: ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ଛତିଶଗଡ଼ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମକାଳୀନ ଛୁଟି ୪୬ ଦିନ ପରିବର୍ତ୍ତେ ୩୨ ଦିନ ହେବ। ଅର୍ଥାତ୍‌ ଗ୍ରୀଷ୍ମ ଛୁଟିକୁ ୧୫ ଦିନ କମ୍‌ କରିଦିଆଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଛୁଟି ମେ’ ୧ ପରିବର୍ତ୍ତେ ମେ’ ୧୫ରୁ ଆରମ୍ଭ ହୋଇ ଜୁନ ୧୫ ପର୍ଯ୍ୟନ୍ତ ଏକ ମାସ ଧରି ରହିବ। ଜୁନ ୧୬ରୁ ବିଦ୍ୟାଳୟଗୁଡ଼ିକ ପୁଣି ଖୋଲିବ। ପରୀକ୍ଷା ପରେ ମଧ୍ୟ ଛାତ୍ରମାନଙ୍କ ଅଧ୍ୟୟନ ୧୫ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଗତ ୨ବର୍ଷରୁ କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ରୁ ଲଗାତର ଭାବେ ସ୍କୁଲ ବନ୍ଦ ରହିଛନ୍ତି। ସାମୟିକ ଭାବେ ସ୍କୁଲ ଖୋଲାଯାଉଥିବା ବେଳେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ପୁଣି ବନ୍ଦ କରିବାକୁ ପଡୁଥିଲା। ଫଳରେ ପିଲାଙ୍କ ପାଠପଢ଼ା ଅନ୍‌ଲାଇନରେ ଏବେ ବି ଜାରି ରହିଛି। ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଚଳିତ ଥର ଛତିଶଡ଼ରେ ଗ୍ରୀଷ୍ମକାଳୀନ ଛୁଟିକୁ କମ୍‌ କରାଯାଇଛି। ଏଥିପାଇଁ ସ୍କୁଲ ଶିକ୍ଷା ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ୨୦୨୧-୨୨ ଏକାଡେମିକ ସେଶନ୍‌ରେ ସରକାରୀ, ବେସରକାରୀ ସ୍କୁଲ ଏବଂ ଡିଏଡ୍‌, ବିଏଡ୍‌ ଓ ଏମ୍‌ଏଡ୍‌ କଲେଜଗୁଡ଼ିକରେ ଗ୍ରୀଷ୍ମ ଛୁଟି ୩୨ ଦିନ ରହିବ। ଚଳିତ ବର୍ଷ ଏକାଡେମିକ ସେଶନ୍‌ ମାର୍ଚ୍ଚ ୩୧ ପରିବର୍ତ୍ତେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ରହିଛି। ସୂଚନା ମୁତାବକ, ଚଳିତ ଥର ବୋର୍ଡ ପରୀକ୍ଷା ମାର୍ଚ୍ଚରେ ଶେଷ ହେବ। ଏତଦ୍‌ ବ୍ୟତୀତ ସାଧାରଣ ଶ୍ରେଣୀର ପରୀକ୍ଷା ଏପ୍ରିଲରେ ଆରମ୍ଭ ହେବ। କିନ୍ତୁ ପରୀକ୍ଷା ଶେଷ ହେବା ପରେ ଛାତ୍ରମାନଙ୍କୁ ସ୍କୁଲ ଆସିବାକୁ ପଡିବ। କାରଣ ମେ ୧୫ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ଜାରି ରହିବ। ପରୀକ୍ଷା ପରେ ପିଲାମାନେ ଛୁଟିଦିନକୁ ଅପେକ୍ଷା କରନ୍ତି, କିନ୍ତୁ ଏଥର ପିଲାମାନେ ପରୀକ୍ଷା ପରେ ମଧ୍ୟ ସ୍କୁଲକୁ ଯିବେ।

Share