ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା ଜିଲା ଖରିଆର ରୋଡ୍ ଅଞ୍ଚଳର ୨ଜଣ ଦାଦନ ସର୍ଦ୍ଦାରଙ୍କୁ ଗୁରୁବାର ଗିରଫ କରିଛି। ସେମାନେ ହେଲେ ଲତା ଶବର ଓ ବେଲଟୁକୁରିର ମୁକେଶ ଚନ୍ଦ୍ରକାର। ସୂଚନା ଅନୁଯାୟୀ, ୨୦୨୬ ଜାନୁଆରୀରେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା ଖଲ୍ଲାରି ଥାନା ଲୋହରାଗଁାଓର ଅଜା, ନାତି ଓ ନାତୁଣୀ ଦାଦନ ସର୍ଦ୍ଦାରଙ୍କଠାରୁ ୪୦ ହଜାର ଟଙ୍କା ଅଗ୍ରିମ ନେଇ ଉତ୍ତରପ୍ରଦେଶର ବାରବାଙ୍କି ଜିଲା ହାଜିପୁର ମାୱାଇର ଅଂଶୁମାନ୍ ସିଂହ ଇଟାଭାଟିକୁ ଇଟା ତିଆରି କରିବା ପାଇଁ ଯାଇଥିଲେ। ସେଠାରେ କାମ କରିବା ଭିତରେ ଅଜା ଅସୁସ୍ଥ ହୋଇପଡିଲେ। ଔଷଧ ଖାଇଲେ ମଧ୍ୟ ଆରୋଗ୍ୟ ନ ହେବାରୁ ଘରକୁ ଆସିବା ପାଇଁ ଦାଦନ ସର୍ଦ୍ଦାର ଚନ୍ଦ୍ରକାରଙ୍କୁ ନାତି ଗୁହାରି କରିଥିଲେ। କିନ୍ତୁ ସର୍ଦ୍ଦାର ତୁମର ୪୦ ହଜାର ଟଙ୍କାର କାମ ଏପର୍ଯ୍ୟନ୍ତ ହୋଇନାହିଁ। ତେଣୁ ତୁମେମାନେ ଘରୁ ଫେରିବା ପର୍ଯ୍ୟନ୍ତ ଏହି ଝିଅ ଆମ ପାଖରେ କାମ କରିବ ବୋଲି କହି ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବନ୍ଧକ ରଖି ଅନ୍ୟମାନଙ୍କୁ ଘରକୁ ପଠାଇ ଦେଇଥିଲେ। ସେଠାରେ ନାବାଳିକାଙ୍କୁ ଇଟାଭାଟିର ଜେସିବି ଡ୍ରାଇଭର ଶାରୀରିକ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ମହାସମୁନ୍ଦ ଜିଲା ଖଲ୍ଲାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପ୍ଟେମ୍ବର ୨୨ରେ ପୋଲିସ ଏକ ମାମଲା (ନଂ.୧୦୪/୨୦୨୬) ରୁଜୁ କରି ଖୋଳତାଡ ଆରମ୍ଭ କରିଥିଲା। ଗୁରୁବାର ଭୋର ସମୟରେ ଦାଦନ ସର୍ଦ୍ଦାର ଲତା ଶବରଙ୍କୁ ପୋଲିସ କାବୁ କରି ନଗଦ ଟଙ୍କା ଓ କିଛି ସୁନା ଗହଣା ଜବତ କରିଛି। ଏହା ପରେ ବେଲଟୁକୁରି ଗଁାର ମୁକେଶ ଚନ୍ଦ୍ରକାରଙ୍କ ଘରେ ପୋଲିସ ଚଢାଉ କରି ତାଙ୍କୁ ଗିରଫ କରିବା ସହ ନଗଦ ରାଶି ଜବତ କରିଛନ୍ତି ା
ଏ ସଂକ୍ରାନ୍ତରେ ମହାସମୁନ୍ଦ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶୁଶିଲ କୁମାର ନାଏକଙ୍କୁ ପଚାରିବାରୁ ଏମାନେ ବେଆଇନ ଭାବରେ ଶ୍ରମିକ ଚାଲାଣ କରିବା ସହ ନାବାଳିକା ଓ ବାଳକଙ୍କୁ ନେଇ ନିର୍ଯାତନା ଦେଇ ଆସୁଛନ୍ତି। ଶ୍ରମିକମାନଙ୍କୁ କମ ଟଙ୍କା ଦେଇ ଅଧିକ କାମ କରାଉଛନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ନଷ୍ଟ ହେଉଛି। ମୁଖ୍ୟ ଅଭିଯୁକ୍ତ ମୁକେଶ ଚନ୍ଦ୍ରକାରଙ୍କ ସମେତ ଲତା ଶବର, ଜଗତ ଗୁପ୍ତା ଏବଂ ଛତିଶଗଡ ପିଥୋରାର ନନ୍ଦୁ ମହାନ୍ତି ଓ ପୀୟୂଷ କୁମାରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାସହ ଛତିଶଗଡ ଓ ଓଡିଶାର ୧୦ଟି ସ୍ଥାନରେ ରେଡ୍ କରାଯାଇ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ ପରେ ଖରିଆର ରୋଡ ଅଞ୍ଚଳରୁ ୨ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଜବତ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରି ଗଣମାଧ୍ୟମକୁ ଜଣାଇବୁ ବୋଲି ସେ କହିଥିଲେ।