ଧାନବସ୍ତା ରଖି ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ

ଛତ୍ରପୁର,୧୬।୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡ଼ ମାଧପୁର ଧିରେଶ୍ବର ମନ୍ଦିର ନିକଟରେ ମଙ୍ଗଳବାର ଚଷୀମାନେ ଧାନ ବସ୍ତା ରଖି ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କରିଛନ୍ତି। ଟାୟାର ଜାଳିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଧାନ କିଣାଯାଉ ନ ଥିବାରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଧାନ କିଣା ସମସ୍ୟା ସମ୍ପର୍କରେ ୮ତାରିଖ ବଡ଼ମାଧପୁରର ଶହଶହ ସଂଖ୍ୟାରେ ଚାଷୀ ଜିଲା ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ।
ଏହାପରେ ୯ ତାରିଖଠାରୁ ଧାନମଣ୍ଡିରେ ମିଲର ଓ ଯୋଗାଣ ବିଭାଗର ମିଳିତ ଉଦ୍ୟମରେ ଧାନକିଣା ଆରମ୍ଭ ହୋଇଥିଲା । ତେବେ ଦୀର୍ଘ ୪ଦିନ ହେବ ପୁଣି ଅସ୍ଥିରତା ଦେଖାଯାଇଛି । ଚାଷୀଙ୍କ ଧାନ ବାହାରେ ପଡି ରହିଛି ଆଉ ଦଲାଲ ଏହାର ଫାଇଦା ଉଠାଉଛନ୍ତି । ଅଭାବୀ ଚାଷୀ ଧାର କରଜ କରି ଅମଳ ଧାନକୁ ସାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏ ନେଇ ବିଭାଗୀୟ ଅଧିକାରୀ ୭ଦିନ ଭିତରେ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ ହେଁ କୌଣସି ସୁଫଳ ନମିଳିବାରୁ ମଙ୍ଗଳବାର ଅସନ୍ତୁଷ୍ଟ ଚାଷୀମାନେ ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯେ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ମଣ୍ଡୀରେ ସରକାରୀ ଧାର୍ଯ୍ୟ ଦରରେ ବିକ୍ରି ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।