୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି. ସି.ଙ୍କ ନିର୍ଦ୍ଦେଶ ଅନୁସାରେ ଛତ୍ରପୁର ଉପଖଣ୍ଡ ପୋଲିସ ପକ୍ଷରୁ ତଦନ୍ତ କରି ମୋବାଇଲ ଫୋନ ଜବତ କରିବାରେ ସଫଳ ହୋଇଛନ୍ତି। ହଜିଥିବା ଓ ଚୋରି ହୋଇଯାଇଥିବା ୬୬ଟି ମୋବାଇଲଗୁଡ଼ିକୁ ଉଦ୍ଧାର କରି ସାଇବର ଥାନାଠାରେ ଆୟୋଜିତ ସ୍ବତନ୍ତ୍ର ସମ୍ମିଳନୀରେ ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛି। ଛତ୍ରପୁର ଉପଖଣ୍ଡ ପୋଲିସ ଅଧିକାରୀ ଚନ୍ଦନ ଘଡ଼େଇ ସ୍ଥାନୀୟ ସାଇବର ଥାନାରେ ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଛତ୍ରପୁର ସାଇବର ଥାନା ୫୦ଟି, ଛତ୍ରପୁର ଥାନା ୩ଟି, ଗଞ୍ଜାମ ଥାନା ୩ଟି, ଚମାଖଣ୍ଡି ଥାନା ୨ଟି, ଖଲ୍ଲିକୋଟ ଥାନା ୬ଟି ଏବଂ ରମ୍ଭା ଥାନା ୨ଟି ମୋବାଇଲ ଉଦ୍ଧାର କରିଛନ୍ତି। ଆନ୍ଧ୍ରପ୍ରଦେଶର ୩ଜଣ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ରାଜ୍ୟର ଗୋଟିଏ ଲେଖାଏ ହିତାଧିକାରୀ ଅଛନ୍ତି। ପୋଲିସର ଏହି ସଫଳତାକୁ ନେଇ ହିତାଧିକାରୀମାନେ ଆନନ୍ଦ ପ୍ରକାଶ ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ହିତାଧିକାରୀଙ୍କ ମୋବାଇଲ ଫୋନ ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀମାନେ ସାଇବର କ୍ରାଇମ ଥାନା, ଅନ୍ୟ ସୂତ୍ର ଓ ଅତ୍ୟାଧୁନିକ ବୈଷୟିକ କୌଶଳ ଦ୍ବାରା ଫୋନ ଗୁଡ଼ିକ ତଦନ୍ତ କରି ଅନୁସନ୍ଧାନ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଅନେକଙ୍କ ଫୋନ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ ହୋଇଥିଲା ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଛତ୍ରପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଥାନାର ପୋଲିସ ଫୋନକୁ ଜବତ କରି ସଠିକ ମାଲିକଙ୍କୁ ବୁଧବାର ଦିନ ଏହି ସତନ୍ତ୍ର ସମ୍ମିଳନୀରେ ହସ୍ତାନ୍ତର କରିଛନ୍ତି।

ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୋବାଇଲ ଇତିମଧ୍ୟରେ ଉଦ୍ଧାର ହୋଇଛି। ଆଗକୁ ମଧ୍ୟ ଏହିଭଳି ଉଦ୍ଧାର ପ୍ରକ୍ରିୟା ଜାରି ରହିବ ବୋଲି ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ କହିଛନ୍ତି। ଏହି ଅବସରରେ ସାଇବର ଥାନାଧିକାରୀ ଜ୍ୟୋତି ରଞ୍ଜନ ବେହେରା, ଇନ୍ସପେକ୍ଟର ପ୍ରିୟଙ୍କା ବେହେରା, ଏଏସଆଇ କିରଣ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily