ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରା ନଳବଣ ଅଞ୍ଚଳ ଚିଲିକାରେ ମାଛ ମାରୁଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଥିଲା । ଦିନେଶ୍ୱରଙ୍କ ମୃତ୍ୟୁର ଠିକ ଛଅ ବର୍ଷ ପରେ ସ୍ତ୍ରୀ ତ୍ରିବେଣୀ ବେହେରା ମଧ୍ୟ ଏକ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି । ଦିନେଶ୍ୱରଙ୍କ ମା ରାଧା ବେହେରା, ଅଭିଆଡ଼ି ଭଉଣୀ ଝୁନୁ ବେହେରା ଏବଂ ଦିନେଶ୍ୱରଙ୍କ ପୁଅ ଦେବାଶିଷ ଓ ଝିଅ ସୋନାଲି ଦୁଃଖସୁଖରେ ପରିବାର ପରିପୋଷଣ କରୁଥିଲେ ।
ଗତ ତିନି ଦିନ ତଳେ ରାଧାଙ୍କର ମୃତ୍ୟୁ ପରେ ବେସାହାରା ହୋଇ ପଡିଥିଲେ ଦିନେଶ୍ୱରଙ୍କ ଝିଅ ସୋନାଲି ଓ ପୁଅ ଦେବାଶିଷ । ସୋନାଲି ଯୁକ୍ତ ତିନିରେ ପଢ଼ୁଥିବା ବେଳେ ଦଶମ ଶ୍ରେଣୀରେ ଅଧୟନ କରୁଛନ୍ତି ଦେବାଶିଷ । ପରିବାର ସମସ୍ତଙ୍କୁ ହରାଇ ବେସାହାରା ଭାଇ ଭଉଣୀ ବଞ୍ଚିବାକୁ ରାହା ଖୋଜୁଛନ୍ତି । ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଶନିବାର ଦିନ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ଗ୍ରାମରେ ପହଞ୍ଚି ବେସାହାରା ଭାଇ ଭଉଣୀଙ୍କୁ ଆର୍ଥିକ ସହାୟତା କରିଛନ୍ତି । ସେହି ପଞ୍ଚାୟତ ସରପଞ୍ଚ ସନ୍ତୋଷିନୀ ବେହେରା, ଭାଜପା ଯୁବନେତା ରଞ୍ଜନ ତରାଇ, ସରପଞ୍ଚ ପ୍ରତିନିଧି ବିକ୍ରମ କୁମାର ବେହେରା ଉପସ୍ଥିତ ଥିଲେ ।
ଏଥିସହ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, ଶିକ୍ଷୟିତ୍ରୀ ରୀନା ବେହେରା ଏବଂ ସରକାରୀ କର୍ମଚାରୀ ସେବା ସଙ୍ଘ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା କରିଥିବା ବେଳେ ଅନେକ ସଂଗଠନ ସହଯୋଗର ହାତ ବଢ଼େଇ ଥିବା ଜଣା ପଡିଛି । ବାପା ମା ଙ୍କୁ ହରାଇ ଯେତିକି ଭାଙ୍ଗି ପଡି ନଥିଲେ ଏବେ ଜେଜେମା ଙ୍କୁ ହରାଇ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା କହିଛନ୍ତି ସୋନାଲି ଓ ଦେବାଶିଷ । ବର୍ତ୍ତମାନ ତାଙ୍କର ସାହାରା କହିଲେ ଅବିଭାହିତ ପିଉସୀ ଝୁନୁ । ପିଉସୀ ଝୁନୁଙ୍କର ମଧ୍ୟ ଅଣ୍ଟାରେ ଆଘାତ ଯୋଗୁଁ ମୂଲ ଲାଗି ପାରୁ ନାହାନ୍ତି । କେମିତି ଆମେ ବଞ୍ଚିବୁ କିଏ ଆମକୁ ଖାଇବାକୁ ଦେବ ଆମେ ବଞ୍ଚିବାକୁ ରାହା ଖୋଜୁଛୁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ସୋନାଲି ଓ ଦେବାଶିଷ ।


