ନମ୍ବର ପ୍ଲେଟରେ ଚୁଇଂଗମ୍‌ ମାରି ବୁଲୁଛନ୍ତି ଅମାନିଆ

ଭୁବନେଶ୍ୱର,୯।୪(ବ୍ୟୁରୋ): ଆଇନ ଯେତେ କଡ଼ାକଡ଼ି କରାଯାଉଛି, ଅମାନିଆ ସେତିକି ନୂଆ ନୀତି ଆପଣାଉଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(ଏଚ୍‌ଏସ୍‌ଆର୍‌ପି)କୁ ବାଧ୍ୟତାମୂଳକ କରାଯାଇଛି। ଫଳରେ କେହି ନିୟମ ଉଲ୍ଲଂଘନ କଲେ ସିସିଟିଭିରେ ଗାଡ଼ି ନମ୍ବରକୁ କଏଦ କରାଯାଇ ସେମାନଙ୍କ ପାଖକୁ ଜରିମାନା ରସିଦ୍‌ ଅନ୍‌ଲାଇନରେ ପଠାଯାଉଛି। ହେଲେ ଏଥିରୁ ବର୍ତ୍ତିବା ପାଇଁ ଏବେ କିଛି ଅମାନିଆ ନୂଆନୀତି ଆପଣାଇଥିବା ଦେଖିବାକୁ ମିଳୁଛି। କେହି ନମ୍ବର ପ୍ଲେଟର କିଛି ଅଂଶ ଲିଭାଇ ଦେଉଥିବାବେଳେ ଆଉ କେତେଜଣ ଟ୍ରାଫିକ ଛକ ଆସିଲେ ନମ୍ବର ପ୍ଲେଟରେ ରୁମାଲ କିମ୍ବା ଅନ୍ୟ କପଡ଼ା ଗୁଡ଼ାଇ ଦେଉଛନ୍ତି। ଏପରିକି ଆଉ କେତେଜଣ ଚୁଇଂଗମ୍‌ ଲଗାଇ ଦେଉଛନ୍ତି। ଫଳରେ ସେମାନଙ୍କ ଗାଡ଼ି ନମ୍ବରକୁ ସହଜରେ ଟ୍ରାକ୍‌ କରାଯାଇ ପାରୁନାହିଁ। ଏଣୁ ଏବେ ଯେଉଁମାନେ ଗାଡ଼ିର ନମ୍ବରପ୍ଲେଟକୁ କୌଣସି ପ୍ରକାରେ ଟ୍ୟାମ୍ପରିଂ କରାଯାଇଥିବା ଜଣାପଡ଼ିବ ସେମାନଙ୍କ ଗାଡ଼ି ଜବତ କରାଯିବା ସହ ମୋଟା ଅଙ୍କର ଜରିମାନା ଲାଗୁ କରାଯିବାକୁ ଟ୍ରାଫିକ୍‌ ପୋଲି ନିଷ୍ପତ୍ତି ନେଇଛି।
ଭୁବନେଶ୍ୱରରେ ଅମାନିଆଙ୍କୁ ଧରିବାକୁ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯିବାସହ ପ୍ରମୁଖ ଛକଗୁଡ଼ିକରେ ପୋଲିସ ସ୍ପେଶାଲ ଡ୍ରାଇଭ କରୁଛି। ଏହାସତ୍ତ୍ୱେ ଟ୍ରାଫିକ ସିସିଟିଭିରୁ ବର୍ତ୍ତିବା ପାଇ କେତେଜଣ ଭିନ୍ନ ତରିକା ଆପଣାଉଛନ୍ତି। କିଏ ଜରିମାନା ଫାଙ୍କିବାକୁ ତ ଆଉ କିଏ ଅପରାଧ ଘଟାଇବା ପାଇଁ ନମ୍ବର ପ୍ଲେଟ ଟ୍ୟାମ୍ପରିଂ କରୁଛନ୍ତି, ଯାହାକି ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଏଭଳି ଅମାନିଆଙ୍କୁ ସତର୍କ କରାଇଛି ଟ୍ରାଫିକ୍‌ ପୋଲିସ। ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି। ସଚେତନ ପରେ ଯଦି କୌଣସି ବ୍ୟକ୍ତି ଏଭଳି କରନ୍ତି ତାହାଲେ ମୋଟା ଅଙ୍କର ଜରିମାନା ସହ ଗାଡିକୁ ସିଧା ଜବତ କରାଯିବ ବୋଲି କହିଛନ୍ତି । ଏହାସହ ସହରରେ ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ।
ପାର୍କିଂ ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ଜାମ୍‌କୁ ସୁବ୍ୟବସ୍ଥିତ କରାଯିବ ବୋଲି ପଣ୍ଡା କହିଛନ୍ତି। ଅଟୋ ଷ୍ଟାଣ୍ଡ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରିବା ସହିତ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରୀ ଭଡ଼ା ସ୍ଥିର କରି ନିର୍ଦ୍ଧାରିତ ମୂଲ୍ୟର ତାଲିକା ପ୍ରତି ଷ୍ଟାଣ୍ଡରେ ଲଗାଯିବ। ସେହିପରି ରାଜଧାନୀରେ ଦିନକୁ ଗାଡ଼ି ମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନେ ଜାମ୍‌ରେ ନ ଫସିବା ପାଇଁ ସୋସିଆଲ ମିଡିଆରେ ଟ୍ରାଫିକ ପୋଲିସ ଯୋଡି ହୋଇଛି। କେଉଁ ରୁଟରେ କ’ଣ ସମସ୍ୟା ରହିଛି ଟୁଇଟର, ଫେସ୍‌ବୁକ ଓ ଏଫ୍‌ଏମ୍‌ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି ବୋଲି ପଣ୍ଡା କହିଛନ୍ତି ।