Categories: ଖେଳ

ଇଂଲଣ୍ଡ ପାଇଁ କୋହଲି ନୁହେଁ, ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ଗୁରୁତ୍ୱପୂର୍ଣ୍ଣ କହିଲେ ରୁଟ୍‌

ଚେନ୍ନାଇ, ୪ା୨- ସ୍ଥାନୀୟ ଚେପକ୍‌ ଷ୍ଟାଣ୍ଡିୟମରେ ଶୁକ୍ରବାଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ। ଏହି ମ୍ୟାଚ୍‌ରେ ଚେତ୍ତେଶ୍ୱର ପୂଜାରାଙ୍କ ଉଇକେଟ ଭ୍ରମଣକାରୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଅଧିନାୟକ ଜୋ ରୁଟ୍‌ କହିଛନ୍ତି।

ମ୍ୟାଚ୍‌ ପୂର୍ବରୁ ଗୁରୁବାର ଆୟୋଜିତ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ରୁଟ୍‌ କହିଛନ୍ତି, ପୂଜାରାଙ୍କ ଉଇକେଟ ଇଂଲଣ୍ଡ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ନିକଟରେ ଲମ୍ବା ଇନିଂସ ଖେଳିବାର ଦକ୍ଷତା ରହିଛି, ଯାହାକି ଇଂଲଣ୍ଡ ପାଇଁ ବିପଦ ସାଜିପାରେ। ଆଉ ଭାରତ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ତାଙ୍କ ଭଳି ଖେଳିବାକୁ ପଡ଼ିବ। ପୂଜାରା ଜଣେ ଫାଣ୍ଟାଷ୍ଟିକ୍‌ ଖେଳାଳି। ତାଙ୍କ ସହ ୟର୍କଶାୟାର ଦଳରେ କିଛି ମ୍ୟାଚ୍‌ ଖେଳିଥିଲି, ତାଙ୍କଠୁ ବହୁତ କିଛି ଶିଖିବାକୁ ପାଇଛି। ଉଲ୍ଲେଖଥାଉ କି, ଅଭିଜ୍ଞ ବ୍ୟାଟ୍ସମ୍ୟାନ ପୂଜାରା ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୩ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସେ ସମ୍ମୁଖୀନ ହୋଇଥିଲେ ୯୦୦ ବଲ।

Share