Categories: ଜାତୀୟ

୫ ଟଙ୍କାରେ ସେବା ଯୋଗାଉଥିବା ଡାକ୍ତର ଆଉ ନାହାନ୍ତି

ଚେନ୍ନାଇ,୧୬।୮: ତାମିଲନାଡୁର ‘୫ ଟଙ୍କା ଡାକ୍ତର’ ଭାବରେ ଜଣାଶୁଣା ଡକ୍ଟର ଭି ଥିରୁଭେନଗଡାମଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି।
ଷ୍ଟେନଲି ମେଡିକାଲ କଲେଜର ପୂର୍ବତନ ଛାତ୍ର ଡକ୍ଟର ଥିରୁଭେନଗଡାମ ୨୦୧୭ ତାମିଲ ଚଳଚ୍ଚିତ୍ର ‘ମେର୍ସାଲ’ ରିଲିଜ ହେବା ପରେ ଖ୍ୟାତି ଅର୍ଜନ କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନେତା ବିଜୟ ୫ ଟଙ୍କା ଡାକ୍ତର ଭୂମିକାରେ ଅଭିନୟ କରିଥିଲେ। ଥିରୁଭେନଗଡାମଙ୍କ ଏକ କ୍ଲିନିକ୍‌ ଥିଲା। ଦୀର୍ଘ ୨୫ ବର୍ଷ ହେବ ଏହି କ୍ଲିନିକ୍‌ରେ ସେ ରୋଗୀ ଦେଖୁଥିଲେ। ରୋଗୀଙ୍କଠାରୁ ପୂର୍ବରୁ ୨ ଟଙ୍କା ନିଆଯାଉଥିଲା। ଗତ କିଛି ବର୍ଷ ପୂର୍ବେ ଏହାକୁ ବୃଦ୍ଧି କରାଯାଇ ୫ ଟଙ୍କା ରଖାଯାଇଥିଲା। ପ୍ରାୟ ୧୫୦ ରୋଗୀ ପ୍ରତିଦିନ ଡାକ୍ତରଙ୍କ ପାଖକୁ ଆସୁଥିଲେ। ଯେଉଁମାନଙ୍କୁ ପ୍ରାୟତଃ ମାଗଣାରେ ଔଷଧ ଦିଆଯାଉଥିଲା। ଏବଂ ଅନେକ ଥର ଥିରୁଭେନଗଡାମ କିଛି ଅଭାବୀ ଲୋକଙ୍କୁ ଟଙ୍କା ଦେଉଥିଲେ। ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share