Categories: ଜାତୀୟ

ରାସ୍ତା ଉପରେ କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ କଲେ ପ୍ରେମିକ

ଚେନ୍ନାଇ,୨୩।୯: କଲେଜ ଯାଉଥିବା ବେଳେ ଜଣେ ୨୧ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁଷି ହତ୍ୟା କରିଛନ୍ତି। ଚେନ୍ନାଇର ତାମ୍ବାରାମ ରେଲଓ୍ବେ ଷ୍ଟେଶନ ବାହାରେ ଘଟିଛି ଏଭଳି ଘଟଣା। ପ୍ରେମିକାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମୃତ ଛାତ୍ରୀଙ୍କ ନାମ ସ୍ବେଥା। ସେ ମାଦ୍ରାସ ଖ୍ରିଷ୍ଟିଆନ କଲେଜରେ ଲ୍ୟାବ ଟେକନୋଲୋଜିରେ ୬ ମାସିଆ ଡିପଲୋମା କୋର୍ସ କରୁଥିଲେ। ସ୍ବେଥା ଗୁରୁବାର ରେଲଓ୍ବେ ଷ୍ଟେଶନରୁ ବାହାରିବା ପରେ ତାଙ୍କୁ ଛୁରାମାଡ଼ କରିଥିଲେ ତାଙ୍କ ପ୍ରେମିକ ରାମଚନ୍ଦ୍ରନ (୨୫)। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି।

ଛାତ୍ରୀଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି। ସେମାନେ ପ୍ରଥମ ଥର ଟ୍ରେନ ଯାତ୍ରା ବେଳେ ଦେଖା ହୋଇଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ପରେ ତାଙ୍କ ମଧ୍ୟରେ କ’ଣ ଘଟିଲା, ଆମେ ତାହାର ତଦନ୍ତ କରୁଛୁ ବୋଲି ଏସିପି ଆର. ମୁରୁଗେସାନ କହିଛନ୍ତି।

Share