ବିସ୍କୁଟ ଖାଇବା ପାଇଁ ଅଳି କରିବାରୁ ୮ ବର୍ଷର ଝିଅଙ୍କୁ ଚେଙ୍କ

ବ୍ରହ୍ମପୁର ଅଫିସ,୧୩ା୬: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାବତ ମା’ ନିଜ ମାନବିକତା ଭୁଲିଯାଇ ୮ବର୍ଷର ଶିଶୁକନ୍ୟାଙ୍କୁ ଅମାନବୀୟ ଦଣ୍ଡ ଦେଇଛନ୍ତି। ଶିଶୁଟିର ପିଠି, ବେକ, ଗାଲରେ ଗରମ ଚେଙ୍କ ମାରିଛନ୍ତି। ଏପରି କି ଏନେଇ କାହାକୁ ନ କହିବାକୁ ଧମକ ମଧ୍ୟ ମହିଳା ଜଣଙ୍କ ଦେଇଛନ୍ତି।
ରବିବାର ମଧ୍ୟାହ୍ନରେ ଲକ୍ଷ୍ମୀନୃସିଂହ ସାହି ସପ୍ତମଗଳି ହନୁମାନ ନଗରଠାରେ ସାବତ ମା’ ଜାନକୀ ମହାରଣା ୮ ବର୍ଷର ଝିଅକୁ ଚେଙ୍କ ମାରି ମୁହଁକୁ ପୋଡ଼ି ଦେଇଥିବା ଘଟଣା ଏବେ ଦୃଷ୍ଟିକୁ ଆସିଛି। ଗୁରୁତର ଅବସ୍ଥାରେ ଝିଅକୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ବାପା ଅନନ୍ତ ମହାରଣା ଓ ସାବତ ମା’ ଜାନକୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା କହିଛି।
ସୂଚନା ଅନୁଯାୟୀ, ଅନନ୍ତ ମହାରଣାଙ୍କ ପ୍ରଥମ ସ୍ତ୍ରୀ’ଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଜଣେ ଝିଅ ଥିଲା। ସେ ପୁଣି ଥରେ ଜାନକୀଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଜାନକୀଙ୍କ ବର୍ଷକର ପୁଅ ଅଛି। ଗତ ଶୁକ୍ରବାର ଅନନ୍ତଙ୍କ ଝିଅ ବିସ୍କୁଟ ଖାଇବା ପାଇଁ ମା’ ଜାନକୀଙ୍କ ପାଖରେ ଅଳି କରିଥିଲା। ରୋଷେଇ କରୁଥିବା ଜାନକୀ ଏଥିରେ ରାଗିଯାଇ ଏକ ପିଠାପାତିଆ ଚୁଲିରେ ଗରମ କରି ଶିଶୁଟିର ଗାଲ, ବେକ ଓ ପିଠିରେ ଚେଙ୍କ ଦେଇଥିଲେ। ଶିଶୁଟି ପ୍ରାଣ ବିକଳରେ କାନ୍ଦୁଥିଲେ ମଧ୍ୟ କେହି ତାଙ୍କ କାନ୍ଦ ଶୁଣିଲେ ନାହିଁ। ଦୁଇ ଦିନ ଧରି କଷ୍ଟରେ ଛଟପଟ ହୋଇ ଘରେ ରହିବା
ପରେ ରବିବାର ମଧ୍ୟାହ୍ନରେ ଜାନକୀ ଶିଶୁଟିକୁ ସାହିରେ ସେ ପଢ଼ୁଥିବା ଟ୍ୟୁଶନ ଯିବା ପାଇଁ କହିଥିଲେ। ରାସ୍ତାରେ କିଛି ଲୋକ ଶିଶୁଟିର ଏହି ଅବସ୍ଥା ଦେଖି ତାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ଝିଅଟି କାନ୍ଦି କାନ୍ଦି ତାଙ୍କ ସାବତ ମା’ଏପରି କରିଥିବା କହିଥିଲା। ପରେ ସ୍ଥାନୀୟ ଲୋକେ ଏନେଇ ଖବର ଦେଇଥିଲେ ବୋଲି ପୋଲିସ କହିଛି।
ଏ ନେଇ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଉଦ୍ଧାର ଶିଶୁଟିକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ପରେ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ରେ ଶିଶୁକୁ ହାଜର କରାଯାଇ ବାଳାଶ୍ରମକୁ ହସ୍ତାନ୍ତର କରାଯାଇଛି। ସୋମବାର କିଶୋର ନ୍ୟାୟ ଆଇନ (ସୁରକ୍ଷା ଓ ଯତ୍ନ) ଅନୁଯାୟୀ ସିଡବ୍ଲ୍ୟୁସି ବୋର୍ଡ ନିକଟରେ ହାଜର କରାଯାଇ ଶିଶୁର ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।