ବଢ଼ୁଛି ରାସାୟନିକ ବିପଦ

କ୍ୱିଭ୍‌/ମସ୍କୋ, ୧୩ା୩: ଟ୍ୟାଙ୍କ, ମିଶାଇଲ, ବୋମା, ଏୟାରକ୍ରାଫ୍ଟରେ ଲଢ଼େଇ ପରେ ଏବେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଉପରେ ରାସାୟନିକ ଏବଂ ଜୈବିକ ଅସ୍ତ୍ରର ବିପଦ ଘନେଇଛି। ୟୁକ୍ରେନ୍‌ରେ ଆମେରିକା ବାୟୋଲୋଜିକାଲ ଓ କେମିକାଲ ଅସ୍ତ୍ର ପ୍ରସ୍ତୁତ କରୁଥିବା ରୁଷିଆ ଅଭିଯୋଗ ଆଣିଛି। ସେପଟେ ୟୁକ୍ରେନ୍‌ରେ ରୁଷିଆ ଏହି ଘାତକ ଓ୍ବିପନ୍‌ ପ୍ରୟୋଗ କରିବାକୁ ଯାଉଛି ବୋଲି ଆମେରିକା କହିଛି। ଯଦି ରୁଷିଆ ଏପରି କରେ ତେବେ ଏହାର ଭୟଙ୍କର ପରିଣତି ଭୋଗିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚେତାବନୀ ଦେଇଛନ୍ତି। ରୁଷିଆ ଜାତିସଂଘକୁ ଭୁଲ ତଥ୍ୟ ଦେଉଥିବା ଓ୍ବାଶିଂଟନ୍‌ ଅଭିଯୋଗ କରିଛି। ଅପରପକ୍ଷେ ୟୁକ୍ରେନ୍‌ରେ ପଶିଥିବା ରୁଷୀୟ ସୈନ୍ୟଙ୍କ ପାଇଁ ମସ୍କୋ ପକ୍ଷରୁ ଗ୍ୟାସ୍‌ ମାସ୍କ ଯୋଗାଯାଇଥିବା ଜଣାପଡ଼ିଛି। କେତେଜଣ ସୈନ୍ୟଙ୍କ ନିକଟରୁ ୟୁକ୍ରେନ୍‌ ସେନା ଏଭଳି ମାସ୍କ ଜବତ କରିବା ପରେ ସେଠାରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ୟୁକ୍ରେନ୍‌ରେ ଆମେରିକା ଜୈବିକ ଅସ୍ତ୍ର ବିକଶିତ କରୁଥିବା ନେଇ ରୁଷିଆ ଜାତିସଂଘ ନିକଟରେ ଅଭିଯୋଗ କରିଥିଲା। ଏହି ପ୍ରସଙ୍ଗରେ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ର ଜରୁରୀ ବୈଠକ ବସିଥିଲା। କିନ୍ତୁ ଜାତିସଂଘରେ ମସ୍କୋର ଅଭିଯୋଗ ଖାରଜ ହୋଇଛି। ୟୁକ୍ରେନ୍‌ରେ ରୁଷିଆ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବାବେଳେ ୟୁଏନ୍‌ଏସ୍‌ସିକୁ ବ୍ୟବହାର କରି ଏହି ଅପରାଧକୁ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ଚାହୁଁଥିବା ଜାତିସଂଘ କହିଛି। ସେହିପରି ୟୁକ୍ରେନ୍‌ ପ୍ରସଙ୍ଗରେ ଆମେରିକା ମସ୍କୋ ସହ ଲଢ଼ିବ ନାହିଁ ବୋଲି ବାଇଡେନ୍‌ ଦୋହରାଇଛନ୍ତି। ରୁଷିଆ ସହ ପ୍ରତ୍ୟକ୍ଷ ଲଢ଼େଇ ତୃତୀୟ ବିଶ୍ୱଯୁଦ୍ଧକୁ ଡାକି ଆଣିବ ବୋଲି ସେ କହିଛନ୍ତି। ଅପରପକ୍ଷେ ରୁଷିଆ ୟୁକ୍ରେନ୍‌ରେ ଏଭଳି ପ୍ରାଣଘାତୀ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରୀନ୍‌ଫିଲ୍ଡ ଚେତାଇଛନ୍ତି। ନିଜେ ବାୟୋଲୋଜିକାଲ ଓ୍ବିପନ୍‌ ବ୍ୟବହାର କରି ‘ଫଲ୍‌ସ ଫ୍ଲାଗ୍‌’ ରଣନୀତିରେ ଅନ୍ୟ ଦେଶ ଉପରେ ରୁଷିଆ ଦୋଷ ଲଦିପାରେ। ଏଥିସହ ୟୁକ୍ରେନ୍‌ ଆକ୍ରମଣକୁ ମସ୍କୋ ଯଥାର୍ଥ ଦର୍ଶାଇପାରେ ବୋଲି ଥୋମାନ୍‌ ଗ୍ରୀନ୍‌ଫିଲ୍ଡ କହିଛନ୍ତି।

Share