Categories: ଜାତୀୟ

କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ମୃତ୍ୟୁ…

ଗ୍ବାଲିୟର,୯।୫ : ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଆଉ ଏକ ଚିତାର କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିିଛି। ଏପର୍ଯ୍ୟନ୍ତ ତିନୋଟି ଚିତାଙ୍କର ମୃତ୍ୟୁ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁନୋ ଜାତୀୟ ଉଦ୍ୟାନର ବଡ଼ ଏନକ୍ଲୋଜରରେ ଅଣ୍ଡିରା ଚିତା ସହିତ ଲଢ଼ି ମାଈ ଚିତାର ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇଟି ଚିତାଙ୍କର ମୃତ୍ୟୁ ଘଟିଥିଲା, ସେମାନଙ୍କ ମଧ୍ୟରୁ ଗୋଟିଏ ଚିତାର କିଡନୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିିଥିବା ବେଳେ ଅନ୍ୟ ଚିତାର ହୃଦଘାତରେ ମୃତ୍ୟୁ ହୋଇଥିଲା।

ବନ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ମେ ୯ ରେ ପୂର୍ବାହ୍ନ ୧୦ଟା ୪୫ ସମୟରେ କୁନୋ ଜାତୀୟ ଉଦ୍ୟାନରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ମାଈ ଚିତା ଦକ୍ଷା ଆହତ ହୋଇଥିବା ମନିଟରିଂ ଦଳ ଜାଣିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକମାନେ ଦକ୍ଷାର ଚିକିତ୍ସା କରିଥିଲେ। ମଧ୍ୟାହ୍ନ ୧୨ ଟା ସମୟରେ ଦକ୍ଷାର ମୃତ୍ୟୁ ଘଟିଥିଲା।

ବିଶେଷଜ୍ଞମାନେ କହିଛନ୍ତି ଦକ୍ଷା ଶରୀରରେ ଥିବା କ୍ଷତଗୁଡ଼ିକ ଚିତା ଆକ୍ରମଣ ଭଳି ମନେହେଉଛି। ବାସ୍ତବରେ, ମିଳନ ସମୟରେ ଚିତାଙ୍କ ମଧ୍ୟରେ ହିଂସାତ୍ମକ ଆଚରଣ ସାଧାରଣ ଅଟେ। ନିୟମ ଅନୁଯାୟୀ, ମାଈ ଚିତାର ପୋଷ୍ଟମର୍ଟମ ଏକ ବିଶେଷଜ୍ଞ ଦଳ ଦ୍ୱାରା କରାଯାଉଛି।

Share