Categories: ଖେଳ

‘ଚିଅର ଫର୍‌ ଇଣ୍ଡିଆ’

ନୂଆଦିଲ୍ଳୀ,୧୫।୭: ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଦଳର ଅଫିସିଆଲ ସଙ୍ଗୀତ ବା ଥିମ ସଙ୍ଗ୍‌ ଉନ୍ମୋଚନ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ‘ଚିଅର ଫର୍‌ ଇଣ୍ଡିଆ’ (cheer4India) ନାମରେ ଏହି ସଙ୍ଗୀତକୁ ଉନ୍ମୋଚନ କରିଛନ୍ତି। ଅଲିମ୍ପିକ୍ସ ଅବସରରେ ଦେଶର ଆଥ୍‌ଲେଟମାନଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ପ୍ରଖ୍ୟାତ ସଙ୍ଗୀତକାର ଏ.ଆର. ରହମାନ ଓ ଗାୟିକା ଅନନ୍ୟା ବିର୍ଲାଙ୍କ ପ୍ରୟାସରେ ଏହି ଅଫିସିଆଲ ସଙ୍ଗୀତ ହିନ୍ଦୁସ୍ତାନୀ ଶୈଳୀରେ ପ୍ରସ୍ତୁତ କରାଯାଇଛି। ଦେଶର ସବୁ ନାଗରିକ ଏହି ସଙ୍ଗୀତ ଶୁଣିବା ସହ ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ଠାକୁର ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିଥିବା ବେଳେ ଏହି ସଙ୍ଗୀତ ସଂରଚନା କରିଥିବାରୁ ସେ ରହମାନ ଓ ଅନନ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସଙ୍ଗୀତ ଲଞ୍ଚ୍‌ କରିବା ପଛରେ ସମସ୍ତଙ୍କର ଅବଦାନ ରହିଛି। ଗତ ୧୮ ମାସ ହେବ ସମସ୍ତେ ଏଥିପାଇଁ କଠିନ ପରିଶ୍ରମ କରି ଆସୁଥିଲେ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବାତ୍ରା କହିଛନ୍ତି। ସଙ୍ଗୀତର ଉନ୍ମୋଚନ ଅବସରରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀଶିଥ ପ୍ରମାଣିକ, କ୍ରୀଡ଼ା ସଚିବ ରବି ମିତ୍ତଲ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ ମେହେଟା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଟୋକିଓରେ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ। ଅଲିମ୍ପିକ୍ସରେ ଏଥର ୧୮ଟି କ୍ରୀଡ଼ାବର୍ଗରେ ଦେଶର ୧୨୬ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଆଥ୍‌ଲେଟଙ୍କ ସମେତ କୋଚ୍‌, ସପୋର୍ଟ ଷ୍ଟାଫ୍‌ ଓ ଅଫିସିଆଲଙ୍କୁ ନେଇ ୨୨୭ ଜଣିଆ ଭାରତୀୟ ଦଳ ଟୋକିଓ ଯାତ୍ରା କରିବ।

Share