ଚାକିରି ଦେବାକୁ କହି ଠକୁଥିଲେ

ଭବାନୀପାଟଣା,୪।୧୦(ସ୍ବ.ପ୍ର.): ଦିନକୁ ଦିନ ଶିକ୍ଷିତ ବେରୋଜଗାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସମୟରେ କେତେଜଣ ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ଦେବା ନାଁରେ ଯୁବକମାନଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଏହି କଥା ପ୍ରଘଟ ନ କରିବାକୁ ଗୃହବନ୍ଧୀ ରଖିବା ଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର ଚୁଡିହାରୀପଡାରେ। ଏହା ଜାଣି ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା। ପୋଲିସ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲାର ପ୍ରଦୀପ ପଣ୍ଡା(୨୭) ରଞ୍ଜିତ କୁମାର ଜେନା (୨୯), ଅନୁଗୋଳର ଦୁଷ୍ମନ୍ତ ଜେନା(୨୨), ଢେଙ୍କାନାଳର ବଳଦେବ ବେହେରା (୨୩), ଭଦ୍ରକର କାଳିନ୍ଦୀ ଚରଣ ଗହନା(୨୬), ପୁରୀର ହରେକୃଷ୍ଣ ରାଉତ(୨୪)। ଏହାସହ ସେମାନଙ୍କଠାରୁ ୨ଟି ନୋଟବୁକ୍‌, କମ୍ପାନୀର ସାର୍ଟିଫିକେଟ, ପଞ୍ଜୀକରଣ ଓ ୪୪ ହଜାର ଟଙ୍କା ଜବତ କରିଛି। ଏ ନେଇ ଟାଉନ ଥାନାରେ ୨ଟି ପୃଥକ ମାମଲା (ନଂ. ୩୬୨/୨୧ ଓ ୩୬୩/୨୧) ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।