ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ ଲକ୍ଷ ନୁହେଁ ଏକାଥରକେ ପାଖାପାଖି ଦୁଇ କୋଟି ଟଙ୍କାର ଅତର ଠକେଇ ହୋଇଛି । ଏହି ଠକେଇର ଶିକାର ହୋଇଛନ୍ତି ଚମାଖଣ୍ଡି ଥାନା ଅଧୀନ ବଡ଼ପୁଟି ଗ୍ରାମର ଜି.ସୁନିଲ। ଅସଲି ଅତର ନେଇ ନକଲି ଅତର ଦେଇଥିଲେ । ପରେ ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଚଳିତ ମାସ ୯ ତାରିଖରେ ଚମାଖଣ୍ଡି ଥାନାରେ ଏତଲା ଦେଇଥିଲେ । ଘଟଣାଟି ଭୁବନେଶ୍ୱର ବରଗଡ ଅଚଂଳରେ ଘଟିଥିବାରୁ ଚମାଖଣ୍ଡି ପୋଲିସ ଜିରୋ ଏତଲା କରି ସେଠାକୁ ପଠାଇଥିଲେ । ପରେ ବ୍ୟବସାୟୀ ଜଣକ ବରଗଡ ଥାନାକୁ ଯାଇ ଘଟଣା ସଂପର୍କରେ ଅବଗତ କରାଇଥିଲେ । ଏବେ ତଦନ୍ତ ଜାରି ରହିଛି । ସୂଚନା ଥାଉକି ବଡପୁଟି ଗ୍ରାମର ଜି.କର୍ଲେୟାଙ୍କ ପୁଅ ଜି.ସୁନିଲ କିଆଫୁଳ ଭାଟି ରହିଛି । ବିଭିନ୍ନ ଅଚଂଳରୁ କିଆ ଫୁଲ ଚାଷୀମାନେ ତାଙ୍କୁ ଫୁଲ ଦେଇଥାନ୍ତି ଏବଂ ସେ ଏହି ଫୁଲର ଅତର ବାହାର କରିଥାନ୍ତି । ୨୦୨୫/୨୬ ବର୍ଷରେ ସୁନିଲ ୨୪ କେଜି ୫ଶହ ଗ୍ରାମ ଅତର ବାହାର କରିଥିଲେ । ଯାହାର ବଜାରର ମୂଲ୍ୟ ୧ କୋଟି ୭୧ ଲକ୍ଷ ୫୦ ହଜାର ଟଙ୍କା ହେବ । ସେ ରଖିଥିବା ଅତରକୁ କିଣିବା ପାଇଁ ଆଲୋକ ଅବସ୍ଥି ବୋଲି ଜଣେ ବ୍ୟବସାୟୀ ଗ୍ରାମକୁ ଆସିଥିଲେ । ସମସ୍ତ ମାଲ ଓଜନ କରିବା ପରେ ସିଲ କରିଥିଲା । ତାର ତିନି ଦିନ ପରେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ଅତର ବ୍ୟବସାୟୀ କହି ଫୋନ କରିଥିଲେ। ଅତରର ଟେଷ୍ଟ ରିପୋର୍ଟ ପଠାଇବାକୁ କହିଲେ ଏବଂ ସୁନିଲ ରାଜି ହୋଇ ପଠାଇଥିଲେ। ପରେ ୧୮ ମେ କଟକ-ପୁରୀ ରୋଡ ସାଇ ମନ୍ଦିର ଛକ ବରଗଡ ନିକଟସ୍ଥ ଭୂମିକା କନଭେସନ ହୋଟେଲକୁ ମାଲ ନେଇ ଆସିବାକୁ କହିଥିଲେ। ଦୁଇ ଜଣ ବ୍ୟକ୍ତିଙ୍କ ସହ ସେଠାରେ ପହଂଚିଥିଲେ ସୁନିଲ । ସେଠାରେ ଥିବା ବ୍ୟକ୍ତି ଜଣକ ଏକ ଆଲମିରାରୁ ୧୦ କେଜି କେନ ୨ଟି ଓ ୫ କେଜି କେନ ଗୋଟେ ଆଣି ନେଇଥିବା ଅତରକୁ ଢାଳିବା ପାଇଁ କହିଥିଲେ। ଉକ୍ତ ରୁମରେ ଉକ୍ତ ବ୍ୟକ୍ତି ସହ ଅନ୍ୟ ୪ଜଣ ମଧ୍ୟ ଉପସ୍ଥିତ ଥିଲେ । ପରେ ତାଙ୍କ ଲୋକ ଜରିଆରେ ଗୋଟେ କୋଣକୁ ନେଇ ଅତର ସିଲ କରିଥିଲେ। ପରେ ସେ ତୁମ ଅତର ନେଇଯାଅ ମୁଁ କିଛି ଦିନ ମଧ୍ୟରେ ପୁଣି ଡାକିବି ଏବଂ କିଣିବି କହିଥିଲେ। ପରେ ସିଲ ଥିବା ତିନୋଟି କେନକୁ ଧରି ଗ୍ରାମକୁ ଫେରିଯାଇଥିଲେ। ଘଟଣା ଘଟିବାର ଦୁଇ ଦିନ ପରେ ପ୍ରଥମ ବ୍ୟବସାୟୀ ଆଲୋକ ଅବସ୍ଥା ଆସି ଅତର ଦେବାପାଇଁ କହିଲେ। ଶେଷରେ ବାଧ୍ୟ ହୋଇ ରାଜି ହେବା ସହ ସିଲ ଥିବା ଅତରକୁ ଆଲୋକ ଅବସ୍ଥା ସିଲ କାଟି ଟେଷ୍ଟ କରିବା ପରେ ତାହା ଅତର ନୁହେଁ ଖାଲି କ୍ରେମିକାଲ ଅଛି ବୋଲି କହିଥିଲେ। ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ବହୁ ଚାଷୀ ତାଙ୍କୁ ଫୁଲ ଦେଇ ଏବେ ଟଙ୍କା ପାଇଁ ଜଗି ରହିଥିବା ବେଳେ ଚିନ୍ତାରେ ସୁନିଲ । ଏବେ ତାଙ୍କ ଭାଟି ବନ୍ଦ ହୋଇ ରହିଛି । ଯେଉଁ ନମ୍ବରରୁ ଫୋନ ଆସିଥିଲା ତାହା ଏବେ ଲାଗୁନାହିଁ ବୋଲି ସୁନିଲ କହିଛନ୍ତି । ତେବେ ଏହି ଘଟଣାଟି ସତ୍ୟତା ରହିଛି କି ନା ସେ ଚାଷୀଙ୍କୁ ଟଙ୍କା ନଦେବା ପାଇଁ ଏକ କାହାଣୀ କହୁଛନ୍ତି ତାହା ତଦନ୍ତ ସାପେକ୍ଷ । ଘଟଣା ଘଟିବାର ୧୯ ଦିନ ପରେ ଥାନାରେ ଜଣାଇଲେ କାହିଁକି । ବରଗଡ ଥାନାକୁ ଥରେ ମାତ୍ର ଯାଇ ଚୁପ ବସିଛନ୍ତି ସୁନିଲ । ଏନେଇ ସୁନିଲକୁ ପଚାରିବାରେ ସେ ଦୁଇ ଦିନ ମଧ୍ୟରେ ପୁଣି ଥାନାକୁ ପୁଣି ଯିବି, ଯେଉଁ ଚାଷୀଙ୍କ ଟଙ୍କା ବାକି ରହିଛି ସେ ଜମି ବିକ୍ରି କରି ଫେରସ୍ତ କରିବି ଏବଂ ଘଟଣା ସମ୍ପର୍କରେ ସଂଘକୁ ମଧ୍ୟ ଅବଗତ କରିଛି ବୋଲି କହିଥିଲେ । ଘଟଣା ୧୮ ମେ’ରେ ଘଟିଥିବାରୁ ଉକ୍ତ ହୋଟେଲର ସିସି ଟିଭି ଯାଂଚ ସହ ଯେଉଁ ନମ୍ବରରେ ଫୋନ ଆସିଥିଲା ପୋଲିସ ତଦନ୍ତ କରିଲେ ସତ୍ୟତା ଆଗକୁ ଆସିବ ବୋଲି କହିଛନ୍ତି। ସେପଟେ ପୋଲିସ କେସ ନମ୍ବର..୪୬୪/୨୦୨୬ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି।