ପୋଲିସ ଚାକିରି କରାଇ ଦେବାକୁ କହି ଠକିଥିଲେ ୩୮ ଜଣଙ୍କୁ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ନିଜକୁ ଗୃହ ବିଭାଗର ଜଣେ ବଡ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ନେତା, ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି। ଟଙ୍କା ଦେଲେ ପୋଲିସରେ ଚାକିରି କରାଇଦେବି। ଏଭଳି କହି ୩୮ଜଣ ଆଶାୟୀଙ୍କୁ ଠକିଥିଲେ ମୋଟ ୧କୋଟି ୪୭ ଲକ୍ଷ ଟଙ୍କା। ଏହି ମାମଲାରେ ୨ଜଣଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅଥର୍ର୍ନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ୍‌ ମହାରଣା। ଅଭିଯୁକ୍ତ ବୈକୁଣ୍ଠନାଥଙ୍କ ନିକଟରୁ ନକଲି ଆଇ କାର୍ଡ, ୧୨ଟି ଏଟିଏମ୍‌ କାର୍ଡ, ଟଙ୍କା ନେଣଦେଣର ଚୁକ୍ତିପତ୍ର ସମେତ ଅନ୍ୟାନ୍ୟ ତଥ୍ୟ ପ୍ରମାଣଯୁକ୍ତ କାଗଜପତ୍ର ଇଓଡବ୍ଲ୍ୟୁ ଜବତ କରିଛି। ଅଭିଯୁକ୍ତଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଅଚଳ କରିଛି। ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି। ଇଓଡବ୍ଲ୍ୟୁ ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଏକ କେସ୍‌ (ନଂ.୧୫/୨୧) ରୁଜୁ କରିଛି। ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପରିଚୟ ସମ୍ବନ୍ଧରେ ଇଓଡବ୍ଲ୍ୟୁ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ।